ଆଇସିସି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ବିନଙ୍କୁ ମିଳିଲା ସୁଯୋଗ, ବାଦ୍ ପଡ଼ିଲେ ଅକ୍ଷର – Utkal Mail
ନୂଆଦିଲ୍ଲୀ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ର ଶୁଭାରମ୍ଭ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୫ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ସମସ୍ତ ୧୦ଟି ଟିମକୁ ୨-୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସମସ୍ତ ୧୦ଟି ଦେଶ ଏହି ଟୁର୍ନାମେଣ୍ଟ ପାଇଁ ସ୍କ୍ବାଡ୍ ଘୋଷଣା କରିସାରିଛନ୍ତି। ଭାରତ ମଧ୍ୟ ପୂର୍ବରୁ ନିଜ ସ୍କ୍ବାଡ୍ ଘୋଷଣା କରିଥିବା ବେଳେ ଏବେ ଏତିରେ ପରିବର୍ତ୍ତନ ଆଣିଛି।
ପରିବର୍ତ୍ତନ ପରେ ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି। ନିକଟରେ ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା, ଯେଉଁଠାରେ ସେ ଭଲ ପ୍ରଦର୍ଶନ କରିଥିଲେ।
ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ହେବ। ଏଥିପାଇଁ ଅଶ୍ୱିନଙ୍କ ସମେତ ପୁରା ଦଳ ଗୌହାଟୀରେ ପହଞ୍ଚିସାରିଛନ୍ତି।
ତେବେ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ହୋଇଥିବା କ୍ରିକେଟରମାନେ ହେଲେ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶ୍ରେୟସ୍ ଅୟର, ରବିନ୍ଦ୍ର ଜାଦେଜା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର।