ବ୍ୟବସାୟ

ସେପ୍ଟେମ୍ବରରେ ଗାଡ଼ି ବିକ୍ରି ୨୦% ବଢ଼ିଲା: ଟ୍ରାକ୍ଟର ବିକ୍ରି କମିଲା – Utkal Mail


ନୂଆଦିଲ୍ଲୀ: ଉତ୍ସବ ଋତୁ ପାଖେଇ ଆସିଥିବା ବେଳେ ଗାଡ଼ି ବିକ୍ରିରେ ବୃଦ୍ଧିର ଧାରା ଅବ୍ୟାହତ ରହିଛି। ‌ଚଳିତ ବର୍ଷ ସେପ୍ଟେମ୍ବରରେ ସାରା ଦେଶରେ ୧୮ ଲକ୍ଷ ୮୨ ହଜାର ୭୧ଟି ଗାଡ଼ି ବିକ୍ରି ହୋଇଛି ଯାହା ଗତବର୍ଷର ସେପ୍ଟେମ୍ବର‌ରେ ହୋଇଥିବା ୧୫ ଲକ୍ଷ ୬୩ ହଜାର ବିକ୍ରି ତୁଳନାରେ ୨୦.୩୬ ପ୍ରତିଶତ ଅଧିକ। ଗାଡ଼ି ଡିଲର ସଂଘ ଏଫ୍‌ଏଡିଏ ଜାରି କରିଥିବା ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବରରେ କେବଳ ଟ୍ରାକ୍ଟର ଓ ହାଲୁକା କମର୍ସିଆଲ୍ ଯାନକୁ ବାଦ ‌ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଛି।

ଚଳିତ ବର୍ଷ ସେପ୍ଟେମ୍ବରରେ ୧୩ ଲକ୍ଷ ୧୨ ହଜାର ୧୦୧ ଦୁଇଚକିଆ, ୧,୦୨,୪୨୬ ତିନି ଚକିଆ, ୪୬,୭୦୭୦ ଇ-ରିକ୍ସା, ୩,୩୨,୨୪୮ଟି ଯାତ୍ରୀବାହୀ ଯାନ, ୫୪,୪୯୨ ଟ୍ରାକ୍ଟର, ୮୦,୮୦୪ କମର୍ସିଆଲ୍ ଯାନ ବିକ୍ରି ହୋଇଛି। ୨୦୨୨ ସେପ୍ଟେମ୍ବର ତୁଳନାରେ ଦୁଇଚକିଆ ଗାଡ଼ି ବିକ୍ରିରେ ୨୧.୬୮%, ତିନିଚକିଆରେ ୪୮.୫୮%, ଯାତ୍ରୀବାହୀ ଯାନରେ ୧୯.୦୩ ପ୍ରତିଶତ ଓ କମର୍ସିଆଲ ଯାନ ବିକ୍ରିରେ ୪.୮୭ ପ୍ରତିଶତ ବୃଦ୍ଧି ହୋଇଛି। ଟ୍ରାକ୍ଟର ବିକ୍ରି ୯.୬୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଲଘୁ କମର୍ସିଆଲ ଯାନ ବିକ୍ରି ୧.୧୭ ପ୍ରତିଶତ ହ୍ରାସ ପାଇଛି। ଏଫ୍ଏଡିଏର ସଭାପତି ମନିଷ ରାଜ ସିଂଘାନିଆ କହିଛନ୍ତି ଯେ ଉତ୍ସବ ଋତୁ ପାଖେଇ ଆସୁଥିବାରୁ ଦୁଇଚକିଆ ଯାନ ବିକ୍ରିରେ ହୋଇଥିବା ବୃଦ୍ଧି ବେଶ ଉତ୍ସାହଜନକ। କଂପାନିଗୁଡ଼ିକ ନୂଆ ନୂଆ ମଡେଲ୍‌ ଉନ୍ମୋଚନ କରିବା ସହ ଆକର୍ଷଣୀୟ ଅଫର ଘୋଷଣା କରିଥିବାରୁ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ଚାହିଦା ବଢ଼ିଛି। ସୋ’ରୁମ୍‌କୁ ଅଧିକ ଗ୍ରାହକ ପ୍ରବେଶ କରୁଥିବା ବେଳେ ବଜାରରେ ମୋଟ ଉପରେ ଏକ ସକାରାତ୍ମକ ପରିବେଶ ରହିଛି। ଗତବର୍ଷ ତୁଳନାରେ ଷ୍ଟକ ଉପଲବ୍ଧତା ମଧ୍ୟ ଉନ୍ନତ ରହିଛି ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button