କ୍ରାଇମ

ମଦ ପିଇ ପତ୍ନୀ ଉପରେ ଅତ୍ୟାଚାର କାଳହେଲା; ଶ୍ବଶୁରଙ୍କ ଟାଙ୍ଗିଆଚୋଟରେ ଜ୍ୱାଇଁ ମୃତ – Utkal Mail


ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ବିରଙ୍ଗାଟୋଲି ବସ୍ତିରେ ଶ୍ବଶୁରଙ୍କ ଟାଙ୍ଗିଆଚୋଟରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ଜଲେନ ସୋରେଙ୍ଗ(୪୫)। ପୁଲିସ ହତ୍ୟା ଅଭିଯୁକ୍ତ ଶ୍ବଶୁରଙ୍କୁ ଅଟକରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସିମଡେଗା ଥାନା ଅଞ୍ଚଳର ଜଲେନ ସୋରେଙ୍ଗ ଜଲଙ୍ଗବିରା ବିରଙ୍ଗାଟୋଲି ବସ୍ତିରେ ଥିବା ଶ୍ବଶୁରଘରେ ନିଜ ପରିବାର ସହ ରହି ଆସୁଥିଲେ। ଜଲେନ ଦିନମଜୁରିଆ ଭାବରେ କାମ କରୁଥିବାବେଳେ ପ୍ରତିଦିନ ମଦ୍ୟପାନ କରି ସ୍ତ୍ରୀ ଓ ପିଲାଛୁଆଙ୍କ ସହିତ ମାଡ଼ପିଟ କରିଆସୁଥିଲେ। ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଜଲେନ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଘରେ କୌଣସି କାରଣକୁ ନେଇ ସ୍ତ୍ରୀ ସହିତ ଝଗଡା କରିଥିଲେ। ଅତ୍ୟଧିକ ଉତ୍‌କ୍ଷିପ୍ତ ହୋଇ ଜଲେନ ଘରେ ରଖାଯାଇଥିବା ଏକ ଟାଙ୍ଗିଆ ଧରି ପତ୍ନୀଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। ପାଖରେ ଥିବା ଶ୍ବଶୁର ସନ୍ତୋଷ ସୋଏ(୬୫) ତାଙ୍କୁ ଅଟକାଇବାରୁ ଜଲେନ ଶ୍ବଶୁର ସନ୍ତୋଷଙ୍କ ସହିତ ଝଗଡ଼ା କରିଥିଲେ।

ସନ୍ତୋଷ ରାଗିଯାଇ ଟାଙ୍ଗିଆଟିକୁ ଜଲେନ ହାତରୁ ଛଡ଼ାଇନେଇ ଜଲେନ ମୁଣ୍ଡରେ ଜୋର୍‌ରେ ପାହାରେ ପକାଇଥିଲେ। ଏହି ଆଘାତରେ ଜଲେନ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ଥାନାଧିକାରୀ ଆଶିଷ ଜେନା ପୁଲିସଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି କହିଛି। ଅଭିଯୁକ୍ତ ଶ୍ବଶୁର ସନ୍ତୋଷଙ୍କୁ ଥାନାରେ ଅଟକରଖି ପୁଲିସ ପଚରାଉଚରା କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button