Lizard Tail: ଝିଟିପିଟିର ଲାଞ୍ଜ ଅଲଗା ହେବା ପରେ କାହିଁକି ହଲୁଥାଏ? ଜାଣନ୍ତୁ ବୈଜ୍ଞାନିକ କାରଣ
ଆପଣ କେବେ ଦେଖିଛନ୍ତି କି, ଝିଟିପିଟିର ଲାଞ୍ଜ ଶରୀରରୁ ଅଲଗା ହୋଇଯିବା ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ହଲୁଥାଏ? ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଶରୀରରୁ ଅଲଗା ହେବା ପରେ ଲାଞ୍ଜ କେମିତି ହଲୁଛି, ଏହା ପଛରେ ରହିଛି ଝିଟିପିଟିର ଶରୀରର ଏକ ବିଶେଷ ପ୍ରକ୍ରିୟା । ଯେତେବେଳେ ଝିଟିପିଟିକୁ କୌଣସି ମଣିଷ କିମ୍ବା ଅନ୍ୟ ଜୀବଠାରୁ ବିପଦ ଅନୁଭବ ହୁଏ, ସେତେବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ଝିଟିପିଟି ନିଜ ଲାଞ୍ଜକୁ ଶରୀରରୁ ଅଲଗା କରିପାରେ ।
ଝିଟିପିଟିର ଲାଞ୍ଜ ଶରୀରର କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ସହଜରେ ଅଲଗା ହୋଇପାରେ । ଏହାଦ୍ୱାରା ଝିଟିପିଟିକୁ ସେଠାରୁ ଶୀଘ୍ର ପଳାଇବାର ସୁଯୋଗ ମିଳିଯାଏ। ଏହା କୌଣସି ବଡ଼ ଘଟଣା ନୁହେଁ । ବିପଦ ସମୟରେ ଲାଞ୍ଜ ଛାଡ଼ିବା ପାଇଁ ଝିଟିପିଟିର ଶରୀରରେ ଏକ ବିଶେଷ ବ୍ୟବସ୍ଥା ରହିଥାଏ । ତେବେ ଲାଞ୍ଜ ହରାଇବା ପରେ ଏହାକୁ ପୁଣି ତିଆରି କରିବା ପାଇଁ ଝିଟିପିଟିକୁ କିଛି ସମୟ ଲାଗେ।
କିନ୍ତୁ ଶରୀରରୁ ଅଲଗା ହେବା ପରେ ଲାଞ୍ଜ ହଲୁଥାଏ କାହିଁକି?
ଏହାର ଏକ ସାଧାରଣ କାରଣ ହେଉଛି, ଲାଞ୍ଜ ଭିତରେ ଥିବା କିଛି ନସ ଏବଂ ମାଂସପେଶୀ କିଛି ସମୟ ପର୍ଯ୍ୟନ୍ତ କାମ କରିଥାଏ। ଶରୀରଠାରୁ ଅଲଗା ହେବା ସଙ୍ଗେସଙ୍ଗେ ଏଗୁଡ଼ିକର କାମ ବନ୍ଦ ହୋଇନଥାଏ । ଏହି କାରଣରୁ ଲାଞ୍ଜଟି କିଛି ସମୟ ପର୍ଯ୍ୟନ୍ତ ନିଜେ ନିଜେ ହଲୁଥାଏ । କିଛି ସମୟ ପରେ ଏହି ହଲଚଲ ଧୀରେ ଧୀରେ ବନ୍ଦ ହୋଇଯାଏ । କାରଣ, ସେତେବେଳେ ଲାଞ୍ଜକୁ ଶରୀରରୁ ଆବଶ୍ୟକ ଶକ୍ତି ଏବଂ ସଙ୍କେତ ମିଳିନଥାଏ ।
ଏହା ଝିଟିପିଟିକୁ ବିପଦରୁ ବଞ୍ଚିବାରେ ସାହାଯ୍ୟ କରେ । ଯେତେବେଳେ ବିଲେଇ, ପକ୍ଷୀ କିମ୍ବା ଅନ୍ୟ କୌଣସି ଜୀବ ଝିଟିପିଟିକୁ ଧରିବାକୁ ଚେଷ୍ଟା କରେ, ସେତେବେଳେ ହଲୁଥିବା ଲାଞ୍ଜ ଶିକାରୀର ଧ୍ୟାନକୁ ନିଜ ଆଡ଼କୁ ଟାଣିନେଇପାରେ । ଅନେକ ସମୟରେ ଶିକାରୀ ଝିଟିପିଟି ବଦଳରେ ତାର ଲାଞ୍ଜକୁ ଧରିବାକୁ ଚେଷ୍ଟା କରେ । ଏହି ସମୟରେ ଝିଟିପିଟି ସେଠାରୁ ପଳାଇଯାଏ । ଅର୍ଥାତ୍, ଝିଟିପିଟି ନିଜ ଜୀବନ ବଞ୍ଚାଇବା ପାଇଁ ଲାଞ୍ଜକୁ ଛାଡ଼ିଦିଏ ଏବଂ ହଲୁଥିବା ଲାଞ୍ଜ କିଛି ସମୟ ପାଇଁ ଶିକାରୀର ଧ୍ୟାନକୁ ଭ୍ରମିତ କରିଦିଏ ।
ଆଉ ଏକ ରୋଚକ କଥା ହେଉଛି, ଝିଟିପିଟିର ହଜିଯାଇଥିବା ଲାଞ୍ଜ ପରେ ପୁଣି ତିଆରି ହୋଇପାରେ । ତେବେ ନୂଆ ଲାଞ୍ଜ ପୁରୁଣା ଲାଞ୍ଜ ଭଳି ସମ୍ପୂର୍ଣ୍ଣ ହୋଇନଥାଏ । ଏହାର ରଙ୍ଗ, ଆକାର ଏବଂ ଗଠନରେ କିଛି ଫରକ ଥାଇପାରେ । ତେଣୁ, ପରବର୍ତ୍ତୀଥର ଯଦି ଆପଣ ଝିଟିପିଟିର ଶରୀରରୁ ଅଲଗା ହୋଇଥିବା ଲାଞ୍ଜକୁ ହଲୁଥିବାର ଦେଖନ୍ତି, ତେବେ ଆଶ୍ଚର୍ଯ୍ୟ ହେବେନାହିଁ । ଏହା ଏକ ସାଧାରଣ କଥା ହୋଇଥାଏ । ଏହା ହେଉଛି ଝିଟିପିଟିର ଶରୀରର ଏକ ବିଶେଷ ପ୍ରାକୃତିକ ବ୍ୟବସ୍ଥା, ଯାହା ବିପଦ ସମୟରେ ତାକୁ ଶିକାରୀଠାରୁ ବଞ୍ଚିବାରେ ସାହାଯ୍ୟ କରେ ।



