କେନ୍ଦୁଝର ଜିଲ୍ଲା ଶୁଆକାଟୀ ପଞ୍ଚାୟତକୁ ମିଳିଛି ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର

କେନ୍ଦୁଝର: ବଢ଼ିଛି କେନ୍ଦୁଝର ଜିଲ୍ଲାର ଗୌରବ । ଡିଜିଟାଲ୍ ସେବା ବ୍ୟବହାର କରି ନାଁ ରଖିଛନ୍ତି ଏଠାକାର ଲୋକେ । ରାଜ୍ୟର ଅନ୍ୟ ଜିଲ୍ଲାର ଗାଁ ଗୁଡ଼ିକୁ ପଛରେ ପକାଇ କେନ୍ଦୁଝର ଜିଲ୍ଲା ଶୁଆକାଟୀ ପଞ୍ଚାୟତକୁ ମିଳିଛି ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର । ତୃଣମୂଳସ୍ତରରେ ଇ-ଗଭର୍ଣ୍ଣାନ୍ସ ପ୍ରଣୟନରେ ଉତ୍କର୍ଷତା ଲାଗି ବାଂଶପାଳ ବ୍ଲକର ଶୁଆକାଟୀ ପଞ୍ଚାୟତକୁ ମିଳିଛି ଏବର୍ଷର ମର୍ଯ୍ୟାଦାଜନକ ଜୁରି ପୁରସ୍କାର । ଯାହା ସମଗ୍ର କେନ୍ଦୁଝର ଜିଲ୍ଲାର ଗୌରବ ବୃଦ୍ଧି କରିଛି ।
ଏହି ବର୍ଗରେ ଶୁଆକାଟୀ ଗ୍ରାମ ପଞ୍ଚାୟତ ସହ, ଗୁଜୁରାଟ ର ପଲସାନା ଗ୍ରାମ ପଞ୍ଚାୟତ ଓ ଉତ୍ତର ପ୍ରଦେଶର ଲଳିତପୁର ପୌର ପରିଷଦ ପୁରସ୍କାର ଜିତିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାଂଶପାଳ ବ୍ଲକର ଜୁଆଙ୍ଗ, ଆଦିବାସୀ ବହୁଳ ଶୁଆକାଟୀ ପଞ୍ଚାୟତରେ ସରକାରଙ୍କର ବିଭିନ୍ନ ଯୋଜନା କୃତ୍ରିମ ବୁଦ୍ଧିମତ୍ତା, ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଲୋକମାନଙ୍କୁ ଡିଜିଟାଲ୍ ସେବା ଯୋଗାଇ ଦିଆଯାଇଛି । ଅନ୍-ଲାଇନ୍ ମାଧ୍ୟମରେ ରାସନ୍ କାର୍ଡ଼, ଜବ୍ କାର୍ଡ଼, ଭତ୍ତା ଠାରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତର ସମସ୍ତ ଯୋଜନା ଏଠାରେ ଲୋକଙ୍କ ନିକଟରେ ପହଞ୍ଚିପାରିଛି ।
ଗାଁମାନଙ୍କରେ ଖୁବ୍ କମ ଲୋକ ହିଁ ଡିଜିଟାଲ ସେବାକୁ ଗ୍ରହଣ କରନ୍ତି । କିନ୍ତୁ କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗାଁର ଲୋକମାନେ ଅନଲାଇନରେ ସବୁ କାମ କରନ୍ତି । ଯାହା ଫଳରେ ଶୁଆକାଟୀ ଗ୍ରାମ ପଞ୍ଚାୟତକୁ ଜାତୀୟସ୍ତରରେ ଏଭଳି ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ ଖୁସିବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ ।