ଓଡିଶା

ଭସାଣି ଉତ୍ସବରେ ବାଣ ବିସ୍ଫୋରଣ, ୩୫ରୁ ଊର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା : ଭସାଣି ଉତ୍ସବ ସମୟରେ ବାଣ ବିସ୍ଫୋରଣ । ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣ ଉତ୍ସବ ଚାଲିଥିବା ବେଳେ ବାଣ ବିସ୍ଫୋରଣରେ ୩୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସେଥିରୁ ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତନ୍ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏସସିବିକୁ ଆସିଥିବା ଆହତମାନଙ୍କୁ ପ୍ରଥମେ କାଜୁଆଲଟିରେ ଆଶୁ ଚିକିତ୍ସା ଯୋଗାଇବା ପରେ ଆଇସିୟୁକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ସମୟରେ ଏସିବି ଚିକିତ୍ସା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ । ଅନ୍ୟପଟେ ଏହି ଅଘଟଣରେ ପୀଡିତ ମାନଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରା । ଚିକିତ୍ସା ଦିଗ ପଚାରି ବୁଝିବା ସହ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ୩୦ ଜଣଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅଧିନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରୁ ଭସାଣ କାର୍ଯ୍ୟକ୍ରମ ଓ ଆତସବାଜୀ ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜ୍ଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି(ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ଭସାଣ ଦେଖିବାକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିବା ପାଖାପାଖି ୨୦ ଜଣଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । ସେହି ସମୟରେ ବାଣୁଆ ରଖିଥିବା ଅନ୍ୟ ବାଣ ଗୁଡିକରେ ନିଆଁ ଲାଗିଯିବାରୁ ଏହା ପୁନଃ ବିସ୍ଫୋରଣ ଘଟି ଅନ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇ ପଡ଼ିଥିବା କୁହନ୍ତି ପ୍ରତ୍ୟକ୍ଷଦର୍ଶୀ ।

ବିସ୍ଫୋରଣରେ ଆହତ ଶିଶୁ, ମହିଳା ଓ ପୁରୁଷଙ୍କୁ ସେମାନଙ୍କ ସମ୍ପର୍କୀୟ ବିଭିନ୍ନ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଘୋର ଅଭାବ ଏବଂ ମେଡିକାଲ ଚିକିତ୍ସା ବିଳମ୍ବ ହେବା ଦେଖି କିଛି ଗୁରୁତରଙ୍କ ସମ୍ପର୍କୀୟ ସେମାନଙ୍କୁ ନିଜ ବ୍ୟବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button