ନୀତି

ପୃଥିବୀର ସବୁଠାରୁ ନିର୍ମଳ ବାୟୁ ମିଳିଥାଏ ଏହି ଉପଦ୍ବୀପରେ… – Utkal Mail


ଅଷ୍ଟ୍ରେଲିଆର ଟାସମାନିଆ ଦ୍ବୀପର ଉତ୍ତର-ପଶ୍ଚିମ ଦିଗକୁ କେପ୍‌ ଗ୍ରିମ୍‌ ନାମକ ଏକ ଉପଦ୍ବୀପ ରହିଛି, ଯାହାକୁ କେହି କେହି ‘ପୃଥିବୀର ଧାର’ ବୋଲି ଆଖ୍ୟା ଦେଇଥା’ନ୍ତି। ଏହି ଉପାନ୍ତ ସ୍ଥାନର ବୈଶିଷ୍ଟ୍ୟ ହେଲା, ସେଠାରେ ବିଶ୍ବର ସବୁଠୁ ପରିଷ୍କୃତ ତଥା ନିର୍ମଳ ଶ୍ବାସକ୍ରିୟା ଉପଯୋଗୀ ବାୟୁ ମିଳିଥାଏ। ସମ୍ପ୍ରତି ସମଗ୍ର ବିଶ୍ବ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ଠୋସ ସମାଧାନ ଖୋଜିବାରେ ଲାଗିପଡ଼ିଥିବା ବେଳେ କେପ୍‌ ଗ୍ରିମ୍‌ ସମସ୍ତଙ୍କୁ ବିଶୁଦ୍ଧ ବାୟୁରେ ଆପ୍ୟାୟିତ କରିଆସୁଛି। ଏହା ପଛର ମୁଖ୍ୟ କାରଣ ହେଲା, ମୂଳ ଭୂଖଣ୍ଡରୁ ଏହାର ଦୂରତା। ଟାସମାନିଆର ପଶ୍ଚିମରେ ଥିବା ସମୁଦ୍ର ହେଉଛି ପୃଥିବୀର ଦୀର୍ଘତମ ନିରବଚ୍ଛିନ୍ନ ସାମୁଦ୍ରିକ ବିସ୍ତାର ଏବଂ କେପ୍‌ ଗ୍ରିମ୍‌ ଏପରି ଏକ ସ୍ଥାନ ଯେଉଁଠି ଅନବରତ ପଶ୍ଚିମା ପବନ ବହୁଥାଏ। ଏଠାରେ ପ୍ରବାହିତ ପବନର ବେଗ ବେଳେ ବେଳେ ଏତେ ପ୍ରଖର ହୋଇଯାଏ ଯେ ଏହାର ସଂକୀର୍ଣ୍ଣ ପର୍ବତ ଶିଖରରେ ଛିଡ଼ାହେଲେ ଉଡ଼ିଯିବାର ଆଶଙ୍କା ରହିଛି।

ଘଣ୍ଟା ପ୍ରତି ୧୮୦ କି.ମି. ବେଗ ଛୁଉଁଥିବା ଏହି ପବନ ଆଣ୍ଟାର୍କଟିକାରୁ ଆଦୌ ଦୂଷିତ ହୋଇନଥିବା ବାୟୁକୁ ଏଠାରେ ପହଞ୍ଚାଇ ଦେଇଥାଏ। ଦକ୍ଷିଣ ମହାସାଗରରେ ଦୀର୍ଘ ଯାତ୍ରା କରିଥିବା ଏହି ପବନ ଉପରେ କୌଣସି ସ୍ଥଳଭାଗର ପ୍ରଭାବ ପଡୁନଥିବାରୁ ଏହା ବିଶ୍ବର ସବୁଠୁ ବିଶୁଦ୍ଧ ବାୟୁର ନମୁନା କହିଲେ ଅତ୍ୟୁକ୍ତି ହେବନାହିଁ।

ସୂଚନାଯୋଗ୍ୟ, ବାୟୁର ଗୁଣବତ୍ତା ଉପରେ ନଜର ରଖି ଶିଳ୍ପ ଓ ପରିବହନରୁ ନିର୍ଗତ ଧୂଆଁକୁ ହ୍ରାସ କରିବା ଏବଂ ଆମ ପୃଥିବୀର ଭଙ୍ଗୁର ବାୟୁମଣ୍ଡଳକୁ ସୁରକ୍ଷା ଦେବା ଚିନ୍ତାର ବିଷୟ ପାଲଟିଛି। ଏଥି ଲାଗି ଉଦ୍ଦିଷ୍ଟ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହନ କରିବା ପାଇଁ ବିଶ୍ବର ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଓ କର୍ମକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button