ଋଷିଆ ସହ ଯୁଦ୍ଧ ଲଢୁଥିବା ୟୁକ୍ରେନକୁ ୨୦୨୫ରେ ହେବ ନାହିଁ ସମସ୍ୟା! ଯିବା ପୂର୍ବରୁ ସବୁ ବ୍ୟବସ୍ଥା କରିଯାଉଛନ୍ତି ବାଇଡେନ

କିଭ୍ ୧୩।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତି ଲାଗି ଯୋଜନାକୁ ନଜରରେ ରଖି ଉଭୟ ଦେଶ ଏବେ ଅଧିକରୁ ଅଧିକ ଲାଭଜନକ ସ୍ଥିତିରେ ରହିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏଥିରେ ଋଷିଆ କୁର୍ରସ୍କରୁ ୟୁକ୍ରେନୀୟ ସେନାଙ୍କୁ ତଡିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ୟୁକ୍ରେନ ନିଜ କ୍ଷେତ୍ରରେ ଋଷିଆ ସେନାର ଅଗ୍ରଗତିକୁ ରୋକିବା ଓ ନିୟନ୍ତ୍ରଣରେ ରଖିଥିବା କ୍ଷେତ୍ରରୁ ପଛକୁ ତଡିବା ପାଇଁ ତତ୍ପର ହୋଇ ଉଠିଛି।
ଏଥି ମଧ୍ୟରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ କ୍ଷମତାରୁ ଓହ୍ଲାଇବା ପୂର୍ବରୁ ଆଗାମୀ ବର୍ଷ ୟୁକ୍ରେନକୁ ଯୁଦ୍ଧ ଲଢିବାରେ ଯେପରି ଅସୁବିଧା ନ ହେବ ସେଥି ପାଇଁ ସବୁ ବ୍ୟବସ୍ଥା ଏବେଠୁ କରି ଯାଉଛନ୍ତି। ଆମେରିକା ବୈଦେଶିକ ସଚିବ ଆଣ୍ଟନି ବ୍ଲିଙ୍କେନ କହିଛନ୍ତି ଯେ ବାଇଡେନ ୟୁକ୍ରେନର ସହାୟତା ନିମନ୍ତେ ସଂକଳ୍ପବଦ୍ଧ, ଏଣୁ ୟୁକ୍ରେନ ଆଗାମୀ ବର୍ଷ ଋଷିଆର ଆକ୍ରମକତାକୁ ଯେପରି ମୁକାବିଲା କରିପାରିବ ତାହା ସୁନିଶ୍ଚିତ କରିବା ପାଇଁ ଏବେଠୁ ବନ୍ଦୋବସ୍ତ କରୁଛନ୍ତି।
ବ୍ଲିଙ୍କେନ କହିଛନ୍ତି ଯେ ବାଇଡେନ ଚାହାନ୍ତି ୟୁକ୍ରେନକୁ ଯାହା ବି ସହାୟତା ଦିଆଯିବ ତାହା ଏବେଠରୁ ଜାନୁୟାରୀ ୨୦ ମଧ୍ୟରେ ଦେଇ ଦିଆଯାଉ। ବ୍ଲିଙ୍କେନ ବ୍ରସେଲସ୍ ଯାତ୍ରା କାଳରେ କହିଛନ୍ତି ନାଟୋ ଦେଶଙ୍କୁ ସେମାନଙ୍କ ଉଦ୍ୟମ ଏହା ସୁନିଶ୍ଚିତ କରିବା ଲାଗି ଧ୍ୟାନ କେନ୍ଦ୍ରିତ କରିବା ଦରକାର ଯେପରି ୟୁକ୍ରେନ ନିକଟରେ ୨୦୨୫ରେ ପ୍ରଭାବି ଢଙ୍ଗରେ ଲଢିବା ପାଇଁ ଧନ, ଯୁଦ୍ଧ ସାମଗ୍ରୀ ଓ ସଙ୍ଗଠିତ ସେନା ଥିବେ ତାହା ସୁନିଶ୍ଚିତ କରନ୍ତୁ, ଯେପରି ଆବଶ୍ୟକ ପଡିଲେ ଯୁକ୍ରେନ ଉତ୍ତମ ସ୍ଥିତିରେ ଶାନ୍ତିବାର୍ତ୍ତା କରିବାକୁ ମଧ୍ୟ ସକ୍ଷମ ହେବ।
ଏଥି ମଧ୍ୟରେ ଋଷିଆ ଗତ ୭୩ ଦିନରେ ବୁଧବାର ପ୍ରଥମ ଥର ରାଜଧାନୀ କିଭ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନରେ ଆକ୍ରମଣ କରିଛି। ଦିନକ ପୂର୍ବରୁ ପେଣ୍ଟାଗନ କହିଥିଲା ଯେ ମସ୍କୋର ଯୁଦ୍ଧ ଉଦ୍ୟମରେ ସହାୟତା ନିମନ୍ତେ ଆମଦାନୀ କରିଥିବା ଅଧିକାଂଶ ଉତ୍ତରକୋରିଆ ସୈନିକ କୁର୍ରସ୍କ ସୀମାରେ ୟୁକ୍ରେନୀୟ ସେନାଙ୍କୁ ଋଷିଆ ମାଟିରୁ ତଡିବା ପାଇଁ ଯୁଦ୍ଧ ଲଢୁଛନ୍ତି। ଋଷିଆ ବୁଧବାର ୟୁକ୍ରେନର ୮ଟି କ୍ଷେତ୍ରକୁ ଟାର୍ଗେଟ୍ କରିଛି। ଏହି ଅବଧିରେ ୬ଟି ବାଲିଷ୍ଟିକ୍ ଓ କ୍ରୁଜ କ୍ଷେପଣାସ୍ତ୍ର ସମେତ ୯୦ଟି ଡ୍ରୋନରେ ଆକ୍ରମଣ କରିଛି। ଏଥିରୁ ଏୟାର ଡିଫେନ୍ସ ସିଷ୍ଟମ ୪ଟି କ୍ଷେପଣାସ୍ତ୍ର ଓ ୩୭ଟି ଡ୍ରୋନକୁ ଖସେଇ ଦେଇଛି।