ଭାଇ ସଙ୍ଗରେ ପାର୍କ ବୁଲି ବାହାରିଥିବା ‘ବିଜେପି’ ନେତାଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ – Utkal Mail
ମୋରାଦାବାଦ୍: ଗୁରୁବାର ସନ୍ଧ୍ୟାବେଳେ ଉତ୍ତର ପ୍ରଦେଶର ମୋରାଦାବାସ୍ଥିତ ବାସଭବନ ବାହାରେ ‘ବିଜେପି’ ‘କିଷାନ୍ ମୋର୍ଚ୍ଚା’ର ଜଣେ ନେତାଙ୍କୁ ୩ଜଣ ବାଇକ୍ଆରୋହୀ ଦୁର୍ବୃତ୍ତ ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।
କ୍ୟାମେରାରେ ଉତ୍ତୋଳିତ ହୋଇଥିବା ଏହି ଘଟଣା ମୋରାଦାବାଦ୍ ସହରର ମାଝୋଲା ଅଞ୍ଚଳରେ ଘଟିଛି।
ପୁଲିସ କହିଛି, ‘ବିଜେପି’ ନେତା ଅନୁଜ ଚୌଧୁରୀ ଭାଇକୁ ସାଥିରେ ଧରି ପାର୍କକୁ ବୁଲିବାକୁ ଯାଉଥିବା ବେଳେ ୩ଜଣ ବାଇକ୍ଆରୋହୀ ବ୍ୟକ୍ତି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଚୌଧୁରୀଙ୍କ ଉପରକୁ ବହୁବାର ଗୁଳି ଚଳାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ବ୍ରାଇଟ୍ଷ୍ଟାର୍ ହସ୍ପିଟାଲ୍କୁ ନିଆଯାଉଥିଲା, କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା।
ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଅନୁଜଙ୍କ ପରିବାର ଲୋକଙ୍କ ବୟାନକୁ ଭିତ୍ତିକରି ପୁଲିସ ୪ଜଣ ସନ୍ଦିଗ୍ଧଙ୍କ ନାମରେ ମାମଲା ରୁଜୁ କରିଛି।
ଅନୁଜ ଚୌଧୁରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି। ଏଥିପାଇଁ ତାଙ୍କର ପ୍ରତିଦ୍ବନ୍ଦ୍ବିମାନେ ଦାୟୀ।
ନିହତ ଅନୁଜ ୨୦୨୧ରେ ସମ୍ଭଲର ଆଶାମୋଲିର ବ୍ଲକ୍ ମୁଖ୍ୟ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୧୦ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ। ସମ୍ପ୍ରତି ଆଶାମୋଲିର ବ୍ଲକ୍ ମୁଖ୍ୟ ଥିବା ସନ୍ତୋଷ ଦେବୀଙ୍କ ବିରୋଧରେ ଅନୁଜ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ପ୍ରସ୍ତୁତି କରୁଥିଲେ। ତେଣୁ, ବାଦବିବାଦ ଲାଗି ରହିଥିଲା।
ଅନୁଜ ଚୌଧୁରୀ ହତ୍ୟା ଘଟଣାରେ ପୁଲିସ ସନ୍ତୋଷ ଦେବୀଙ୍କ ସ୍ବାମୀ ପ୍ରଭାକର, ପୁଅ ଅନିକେତ ଚୌଧୁରୀ ଏବଂ ଆଉ ୨ଜଣଙ୍କ ସମେତ ସମୁଦାୟ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଛି।