ଦେଶ ବିଦେଶ

ଅପରେସନ୍‌ ସିନ୍ଦୂର: ଶାନ୍ତି ଫେରୁଛି, ତଥାପି ଭୟ ଓ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ତିନି ଦିନ ଧରି ସୀମାପାର ଗୁଳିବିନିମୟ ଓ ଡ୍ରୋନ୍ ଆକ୍ରମଣ ପରେ ଶନିବାର ରାତିରେ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ସବୁକିଛି ଅପେକ୍ଷାକୃତ ଶାନ୍ତ ରହିଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଅସ୍ତ୍ରବିରତି ପରେ ଏହା ଘଟିଛି। ଅସ୍ତ୍ରବିରତି ଘୋଷଣା ପରେ ବି ଜମ୍ମୁର ଉଧମପୁରରେ ଶନିବାର ସନ୍ଧ୍ୟାରେ ସୀମାପାର ଗୁଳିବିନିମୟ ହୋଇଥିବା ଖବର ମିଳିବାର କିଛି ସମୟ ପରେ ବନ୍ଧୁକ ନିରବି ଯାଇଥିଲା ଏବଂ ଏହା ପରଠାରୁ ଆଉ କୌଣସି ଉଲ୍ଲଂଘନ ହୋଇ ନ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ସେବେଠାରୁ ସାଇରନ୍ ଶବ୍ଦ ଓ ବ୍ଲାକ୍ ଆଉଟ୍ ଘୋଷଣା ହୋଇ ନ ଥିଲେ ହେଁ ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ରାତିସାରା ଲାଇଟ୍ ବନ୍ଦ ରଖିଥିଲେ। କାଶ୍ମୀରରେ ମଧ୍ୟ ତିନି ରାତି ଅନିଦ୍ରା ରହିବା ପରେ ସୁରକ୍ଷିତ ସ୍ଥାନକୁ ପଳାଇଥିବା ସୀମାନ୍ତ ଗ୍ରାମଗୁଡ଼ିକର ବାସିନ୍ଦାମାନେ ରବିବାର ସକାଳେ ଘରକୁ ଫେରିଛନ୍ତି। ଲୋକଙ୍କ ମଧ୍ୟରେ ଭୟ ଓ ଦ୍ବନ୍ଦ୍ବ ଲାଗି ରହିଛି।

ପଞ୍ଜାବ, ଜମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ସ୍ଥିତି ସ୍ବାଭାବିକ

ଉରିର ଗାରକୋଟରେ ରହୁଥିବା ମୁସ୍ତାକ ଅହମଦ କହିଛନ୍ତି, ଆମେ ଗତରାତିରେ ହିଁ ଆମ ଗାଁକୁ ଫେରିଥିଲୁ। ପ୍ରବଳ ଗୁଳିମାଡ଼ ପରେ ଆମେ ଗୁରୁବାର ଚାଲିଯାଇଥିଲୁ। ଗତରାତିରୁ ପରିସ୍ଥିତି ଶାନ୍ତ ରହିଛି। ବାରାମୁଲାର ଉରି ସେକ୍ଟରଠାରୁ ଆରମ୍ଭ କରି କୁପଵାଡ଼ାର ନୋଗାମ୍ ଓ ତଙ୍ଗଧର ଏବଂ ବାନ୍ଦିପୁରର ଗୁରେଜ୍ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନୀ ସୈନିକକଙ୍କ ଗୁଳିବିନିମୟ ଯୋଗୁ ସୀମା ଅଶାନ୍ତ ରହିଥିଲା। ଗୁରେଜର ଜଣେ ବାସିନ୍ଦା କହିଛନ୍ତି, ଗତରାତିରେ ଉଭୟ ପକ୍ଷରୁ କୌଣସି ବିନିମୟ ହୋଇ ନ ଥିଲା। ଅସ୍ତ୍ରବିରତି ପରେ ଲୋକମାନେ ଆଶ୍ୱସ୍ତିର ନିଃଶ୍ୱାସ ନେଉଛନ୍ତି ଏବଂ ଯେଉଁମାନେ ଅନ୍ୟ ସ୍ଥାନକୁ ଯାଇଥିଲେ ସେମାନେ ଫେରୁଛନ୍ତି। ଶନିବାର ସନ୍ଧ୍ୟାର ପ୍ରାରମ୍ଭିକ ବିଶୃଙ୍ଖଳା ଓ ବ୍ଲାକ୍ ଆଉଟ୍ ପରେ, ବାକି ରାତି ପାଇଁ ଷ୍ଟ୍ରିଟ୍ ଲାଇଟ୍ ଜଳି ରହିଥିଲା ଏବଂ ସାଇରନ୍ ଓ ବିସ୍ଫୋରଣର କୌଣସି ଶବ୍ଦ ନ ଥିଲା। ତିନି ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଏହା ଘଟିଥିଲା।

ପଞ୍ଜାବରେ ମଧ୍ୟ ଏହା ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ରାତି ଥିଲା। ଅଧିକାଂଶ ଜିଲ୍ଲାରେ ପଡୋଶୀ ଜମ୍ମୁ-କାଶ୍ମୀରରେ ଗୁଳିଚାଳନା ଆରମ୍ଭ ହେବାର କିଛି ମିନିଟ୍ ପରେ ଜାରି ହୋଇଥିବା ବ୍ଲାକ୍ ଆଉଟ୍ ଆଦେଶକୁ ହଟାଇ ଦିଆଯାଇଥିଲା। ଅମୃତସରରେ ରବିବାର ସକାଳେ ରେଡ୍ ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ହଟାଇ ଦିଆଯାଇଥିଲା। ପଠାନକୋଟ ଓ ଅମୃତସରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲେ ହେଁ ଏଠାକାର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ଯେ ଏହା ଭାରତୀୟ ସେନା ଦ୍ୱାରା ନିଷ୍କାସିତ ହେଉଥିବା ବିସ୍ଫୋରକ ଏବଂ ଏଥିରେ ଚିନ୍ତାର କୌଣସି କାରଣ ନାହିଁ। ସକାଳ ସୁଦ୍ଧା ସୀମାନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଥିଲା। ପୂର୍ବ ରାତିରେ ଜାଗ୍ରତ ଥିବା ଫିରୋଜପୁର, ଜଳନ୍ଧର ଓ ହୋସିଆରପୁର ଶାନ୍ତିପୂର୍ଣ୍ଣ ରହିଥିଲା ଏବଂ ରାଜଧାନୀ ଚଣ୍ଡିଗଡ଼ରେ ପୂର୍ବ ରାତିରେ ବାସିନ୍ଦାମାନେ ସ୍ୱେଚ୍ଛାକୃତ ଭାବରେ ଲାଇଟ୍ ବନ୍ଦ ରଖିଥିଲେ। ରାଜସ୍ଥାନରେ  ଜିଲ୍ଲା ପ୍ରଶାସନ ରେଡ୍ ଆଲର୍ଟ ହଟାଇବା ପରେ ଲୋକମାନେ ସେମାନଙ୍କ ସ୍ୱାଭାବିକ ରୁଟିନକୁ ଫେରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button