ଗଣମାଧ୍ୟମକୁ ସାକ୍ଷାତ୍କାର ନଦେବା ପଛର କାରଣ କହିଲେ ’ଯବାନ’ ଅଭିନେତ୍ରୀ – Utkal Mail
ମୁମ୍ବାଇ: ଶାହରୁଖ ଖାନଙ୍କ ସହ ‘ଯବାନ’ ସିନେମାରେ ନର୍ମଦା ଭୂମିକାରେ ତାମିଲ ସିନେମାର ଜଣାଶୁଣା ଅଭିନେତ୍ରୀ ନୟନ୍ତରାଙ୍କୁ ଆପଣ ଦେଖିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଦର୍ଶକଙ୍କୁ ତାଙ୍କ ଅଭିନୟର ଯାଦୁରେ ବଶ କରି ପାରିଛନ୍ତି। ହେଲେ ଆପଣ ଅନୁମାନ କରିଥିବେ ଯେ ସେ ‘ଇଣ୍ଟର୍ଭିୟୁ’ ବା ସାକ୍ଷାତ୍କାର ଖୁବ୍ କମ୍ ଦିଅନ୍ତି। ଏପରିକି ସେ ବହୁ ବର୍ଷ ଧରି ଆଦୌ ସାକ୍ଷାତକାର ଦେଇନାହାଁନ୍ତି। ଏହି ସମୟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଗଣମାଧ୍ୟମରୁ କାହିଁକି ଦୂରତା ରଖୁଛନ୍ତି ତାହା କହୁଛନ୍ତି। ଅବଶ୍ୟ ଭିିଡିଓଟି ପୁରୁଣା।
‘ରେଡ୍ଡିଟ୍’ରେ ପୋଷ୍ଟ ହୋଇଥିବା ଭିଡିଓରେ ନୟନତାରା କହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ମିଥ୍ୟା ଖବର ହେତୁ ସେ ଗଣମାଧ୍ୟମଠାରୁ ଦୂରେଇ ରୁହନ୍ତି। ଅଭିନେତ୍ରୀ ମାଲାୟାଲମ୍ ଭାଷାରେ କହୁଛନ୍ତି ଯେ ଗଣମାଧ୍ୟମ ତାଙ୍କୁ କିପରି ଅନାବଶ୍ୟକ ଭାବରେ ଟାର୍ଗେଟ୍ କରୁଛି। ସତ୍ୟାସତ୍ୟ ନଥିବା ଖବର ପରିବେଷଣ କରି ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଟାର୍ଗେଟ କରୁଥିବା କଥା ସେ ପ୍ରକାଶ କରିଛନ୍ତି। ଯାହାକି ତାଙ୍କୁ ଏବଂ ତାଙ୍କ ପରିବାରକୁ କଷ୍ଟ ଦେଇଥାଏ।
ନୟନତାରା ଆହୁରି ମଧ୍ୟ କହିଛନ୍ତି ଯେ ତାମିଲ ଚଳଚ୍ଚିତ୍ରରେ ଗ୍ଲାମରସ୍ ଭୂମିକା ପାଇଁ ମାଲାୟାଲମ୍ ଦର୍ଶକ ତାଙ୍କୁ ସମାଲୋଚନା କରୁଛନ୍ତି। ମୁଁ ଯାହା କରୁଛି ତାହା ହେଉଛି ମୋର କାମ। ମୋର ନିର୍ଦ୍ଦେଶକମାନେ ଯାହା କହୁଛନ୍ତି ମୁଁ ତାହା କରୁଛି। ଏଥିରେ କେହି ଆଙ୍ଗୁଠି ଦେଖାଇ ପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରି କହିଥିବା ଭିିଡିଓରେ ଦେଖିବାକୁ ମିଳିଛି। ଆପଣ କାହିଁକି ଗ୍ଲାମରସ୍ ରୋଲ୍ କରୁଛନ୍ତି, ଆପଣ ଘରୋଇ ଭୂମିକା କାହିଁକି କରୁନାହାଁନ୍ତି ବୋଲି ପଚାରିବାର ଅଧିକାର ଲୋକଙ୍କର ନାହିଁ ବୋଲି ସେ ଜବାବ ଦେଇଛନ୍ତି।



