ଦେଶ ବିଦେଶ

ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟ ଉପରେ ରୋକ୍: ‘ସମ୍ବେଦନଶୂନ୍ୟ, ନ୍ୟାୟର ଉଲ୍ଲଂଘନ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମାର୍ଚ୍ଚ ୧୭ରେ ଦେଇଥିବା ବିବାଦୀୟ ରାୟ ଉପରେ ଆଜି ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି। ହାଇକୋର୍ଟ ଏ ସଂକ୍ରାନ୍ତ ଏକ ରାୟରେ କହିଥିଲେ ଯେ ନାବାଳିକାଙ୍କ ସ୍ତନକୁ ଧରିବା, ତାଙ୍କ ପାଇଜାମାର ଡୋରି ଖୋଲିବା ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିବା ପାଇଁ ଯଥେଷ୍ଟ ନୁହେଁ। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ରାୟ ସଂପୂର୍ଣ୍ଣ ସମ୍ବେଦନହୀନତାର ପ୍ରମାଣ ଦେଉଥିବା ବେଳେ ଏଥିରେ ମାନବିକତାର ଅଭାବ ରହିଥିବା ସୁପ୍ରିମ୍‌କୋର୍ଟ ଦର୍ଶାଇଛନ୍ତି। ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବା ସହ ଏଭଳି ବିବାଦୀୟ ରାୟ ପାଇଁ ଉତ୍ପନ୍ନ ସ୍ଥିତି ନିମନ୍ତେ ଦୁଃଖ ପ୍ରକାଶ କରିଛନ୍ତି। ବିବାଦୀୟ ରାୟ ଦେଇଥିବା ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ସମ୍ବେଦନହୀନ ରାୟ ନ୍ୟାୟର ଉଲ୍ଲଂଘନ କରୁଥିବାରୁ ଏ ବାବଦ ମନ୍ତବ୍ୟକୁ ଆମେ ନିଷେଧ କରୁଛୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଏଜି, ଏସ୍‌ଜିଙ୍କ ସହାୟତା ଲୋଡ଼ିଲେ ସର୍ବୋଚ୍ଚ ଅଦାଲତ

ସୂଚନାଯୋଗ୍ୟ, ‘ୱି ଦି ଓମେନ୍ ଅଫ୍ ଇଣ୍ଡିଆ’ ନାମକ ଏକ ସଂଗଠନ ଏହି ନିଷ୍ପତ୍ତିକୁ ବିରୋଧ କରି ପ୍ରଥମେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା। ଗତ ୨୪ ତାରିଖରେ ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ପ୍ରସନ୍ନ ବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ଅଦାଲତ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରି ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିବା ସହ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଓ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି।

କିଏ ଦେଇଥିଲେ ଏହି ରାୟ?
ଆହ୍ଲାବାଦ ହାଇକୋର୍ଟ ବିଚାରପତି ରାମମନୋହର ନାରାୟଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ଜଣ ଅଭିଯୁକ୍ତଙ୍କ ପୁନର୍ବିଚାର ଆବେଦନକୁ ଗ୍ରହଣ କରି ଏହି ବିବାଦୀୟ ରାୟ ଦେଇଥିଲେ। ଆଇପିସିର ଧାରା ୩୫୪-ବି (ଅସଦାଚରଣ ଉଦ୍ଦେଶ୍ୟରେ ଆପରାଧିକ ବଳ ପ୍ରୟୋଗ) ଏବଂ ପୋକ୍ସୋ ଆଇନର ଧାରା ୯/୧୦ (ଯୌନ ନିର୍ଯାତନା) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ନଭେମ୍ବର ୧୦ ତାରିଖରେ ଅଭିଯୁକ୍ତମାନେ ଜଣେ ୧୧ ବର୍ଷର ଝିଅକୁ ମୋଟର ସାଇକେଲରେ ନେଇ ତାଙ୍କ ଘରେ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ଝିଅର ବାପା ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରି ଝିଅକୁ ସେମାନଙ୍କ ସହିତ ଯିବାକୁ ଅନୁମତି ଦେଇଥିଲେ। ବାଟରେ ୩ ଜଣ ଅଭିଯୁକ୍ତ ଗାଡ଼ି ଅଟକାଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଜଣେ ଅଭିଯୁକ୍ତ ପୀଡ଼ିତାଙ୍କ ସ୍ତନକୁ ଧରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପାଇଜାମାର ଡୋରି ଖୋଲି ଏକ କଲ୍‌ଭର୍ଟ ତଳକୁ ଟାଣି ନେଇଥିଲା। ପଥଚାରୀଙ୍କ ହସ୍ତକ୍ଷେପ ଯୋଗୁଁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ମାମଲାରେ ତଳ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ରାୟ ଶୁଣାଇ ହାଇକୋର୍ଟ କହିଥିଲେ, ସ୍ତନ ଧରିବା ଓ ପାଇଜାମା ଡୋରି ଖୋଲିବା ଦୁଷ୍କର୍ମ ଉଦ୍ୟମ ଅପରାଧ ନୁହେଁ। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିବାକୁ ହେଲେ ଏହାଠାରୁ ଅଧିକ କିଛି ଘଟିଛି ବୋଲି ପ୍ରମାଣ କରିବାକୁ ପଡ଼ିବ। ହାଇକୋର୍ଟଙ୍କ ଏହି ମନ୍ତବ୍ୟ ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button