କ୍ରାଇମ

ପାରୋଲ ପାଇଁ ଦ୍ୱିତୀୟ ଥର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶାରାମ ବାପୁ – Utkal Mail


ଜୟପୁର: ଦ୍ୱିତୀୟ ଥର ପାଇଁ ରିଲିଫ୍‌ ଆବେଦନ ଖାରଜ ହେବା ପରେ ଯୌନ ନିର୍ଯାତନା ଅପରାଧରେ ଜେଲରେ ଥିବା ବିବାଦୀୟ ଧର୍ମଗୁରୁ ଆଶାରାମ ବାପୁ ପୁଣିଥରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ତାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ ଏପ୍ରିଲ ୨୫ ତାରିଖରେ ଆଶ୍ରମର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଶାରାମ ବାପୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ତାଙ୍କ ଓକିଲ କାଲୁ ରାମ ଭାଟି କହିଛନ୍ତି ଯେ ଜିଲ୍ଲା ପାରୋଲ କମିଟି ଦ୍ୱିତୀୟ ଥର ପାଇଁ ଆଶାରାମଙ୍କ ପାରୋଲ ଆବେଦନକୁ ଖାରଜ କରିଦେଇଛନ୍ତି। କାରଣ ତାଙ୍କୁ ପାରୋଲରେ ମୁକ୍ତ କରିବା ଦ୍ୱାରା ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇପାରେ। ଆଶାରାମ ୨୦ ଦିନର ପାରୋଲ ପାଇଁ ଆବେଦନ କରିଥିଲେ ମଧ୍ୟ ପୁଲିସର ‘ନେଗେଟିଭ୍‌’ ରିପୋର୍ଟ ଦର୍ଶାଇ କମିଟି ଏହାକୁ ଖାରଜ କରିଦେଇଥିଲା।

ଅଦାଲତରେ ଭାଟି ଯୁକ୍ତି ବାଢ଼ିଥିଲେ ଯେ ଆଶାରାମ ୧୧ ବର୍ଷ ଧରି ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମଧ୍ୟ ତାଙ୍କ ପାଇଁ ପାରୋଲ ସୁପାରିସ କରିଛି। କେବଳ ସେତିକି ନୁହେଁ, ଜେଲରେ ଏହି ପୂରା ସମୟରେ ତାଙ୍କର ଆଚରଣ ସନ୍ତୋଷଜନକ ରହିଛି ଏବଂ ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେ ପାରୋଲ ପାଇବାକୁ ଯୋଗ୍ୟ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଅତିରିକ୍ତ ଆଡଭୋକେଟ ଜେନେରାଲ ଅନିଲ ଯୋଶୀ ନିଜର ଜବାବ ଦାଖଲ ପାଇଁ କିଛି ସମୟ ମାଗିବା ପରେ ଜଷ୍ଟିସ ବିଜୟ ବିଷ୍ନୋଇ ଓ ଜଷ୍ଟିସ ରାଜେନ୍ଦ୍ର ପ୍ରକାଶ ସୋନିଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ଥାନ କଏଦୀ ମୁକ୍ତି ଅନ ପାରୋଲ ନିୟମ, ୨୦୨୧ (୨୦୨୧ର ନିୟମ) ଅନୁଯାୟୀ ପାରୋଲ ପାଇଁ ତାଙ୍କର ଅଧିକାର ନାହିଁ ବୋଲି ଦର୍ଶାଇ କମିଟି ତାଙ୍କୁ ପାରୋଲ ପାଇଁ କରିଥିବା ଆବେଦନକୁ ଖାରଜ କରିବା ପରେ ଆଶାରାମ ଜୁଲାଇରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆଶାରାମଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ କାରଣ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଦିଆଯାଇଛି। ତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ୧୯୫୮ ମସିହାର ପୁରୁଣା ନିୟମକୁ ଦୃଷ୍ଟିରେ ରଖି ଆଶାରାମଙ୍କ ପାରୋଲ ଆବେଦନ ଉପରେ ପୁନର୍ବିଚାର କରିବାକୁ କମିଟିକୁ ନିର୍ଦ୍ଦେଶ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button