ଷ୍ଟାର ଲିଙ୍କ ପାଇଁ ଶସ୍ତା ହୋଇପାରେ ମୋବାଇଲ ସେବା
ବେସରକାରୀ ଟେଲିକମ କମ୍ପାନୀ ପାଇଁ ବଢିଲା ଚିନ୍ତା । ଷ୍ଟାରଲିଙ୍କ ପାଇଁ ଏବେ ଅମ୍ବାନୀଙ୍କ ବଢିଲା ସମସ୍ୟା । ଦେଶରେ ବର୍ତ୍ତମାନ ଦୂରସଂଚାର କ୍ଷେତ୍ରରେ ବଡ଼ ପରିବର୍ତ୍ତନର ଆଭାସ ମିଳିଲାଣି। ବଦଳିଯିବ ଡିଜିଟାଲ ଇଣ୍ଡିଆର ରୂପରେଖ। ଭାରତୀୟ ମାର୍କେଟରେ ଶେଷ ହୋଇପାରେ ଜିଓ ଓ ଏୟାରଟେଲ୍ ରାଜୁତି । କାରଣ ଇଣ୍ଡିଆରେ ଏଣ୍ଟ୍ରି ମାରିପାରନ୍ତି ବିଶ୍ୱର ନମ୍ବର ୱାନ ଧନୀ ଏଲନ ମସ୍କ। ମସ୍କଙ୍କ ଏଣ୍ଟ୍ରି ନେଇ ମଧ୍ୟ ରାସ୍ତା ପରିଷ୍କାର ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଟେଲିକମ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ କହିଛନ୍ତି, ସ୍ଯାଟେଲାଇଟ ବ୍ରଣ୍ଡବ୍ଯାଣ୍ଡ ସ୍ପେକ୍ଟ୍ରମର ନିଲାମ ହେବନି। ବରଂ ଆବଣ୍ଟନ କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ବୟାନ ମସ୍କଙ୍କ ପାଇଁ ଖୁସି ଆଣିଥିବା ବେଳେ ଅମ୍ବାନୀଙ୍କ ପାଇଁ ନିରାଶ ନେଇଆସିଛି । ସେପଟେ ଶସ୍ତା ଓ ସ୍ପିଡ୍ ଇଣ୍ଟରନେଟ୍ ଅପେକ୍ଷାରେ ରହିଛନ୍ତି ଗ୍ରାହକ। ସାଟେଲାଇଟ ବ୍ରଡ୍ବ୍ୟାଣ୍ଡ ନେଇ ଏଲନ ମସ୍କଙ୍କ ଷ୍ଟାର୍ଲିଙ୍କ ଓ ଅମ୍ବାନୀଙ୍କ ଜିଓ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାରେ ମସ୍କଙ୍କର ଏକପ୍ରକାର ବିଜୟ ସୁନିଶ୍ଚିତ। ପିଟିଆଇକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି ସେଥିରେ ଘରୋଇ ଲିଡର ଜିଓ ଓ ଏୟାରେଟେଲ୍ ଛାତିରେ ଛନକା ପଶିଛି । କାରଣ ଭାରତୀୟ ମାର୍କେଟରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଏଲନ ମସ୍କ। ପ୍ରତିଯୋଗୀତା ଅଧିକ ବଢ଼ିଲେ ମାର୍କେଟର ମୂଲ୍ଯ କମିବ। ଆଉ ମୂଲ୍ଯ କମିଲେ ଗ୍ରାହକ ସୁବିଧା ଅନୁସାରେ ସେବା ବାଛିବେ। ଏଥିରେ କାହାର ବି ଏକଚାଟିଆ ପ୍ରଭାବ ରହିବ ନାହିଁ। ତେବେ ଅମ୍ବାନୀ ଓ ମିତଲଙ୍କ ମନରେ ଯେଉଁ ଭୟ ଥିଲା, ତାହା ଦୂର କରିଛନ୍ତି କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ମନ୍ତ୍ରୀ କହିଛନ୍ତି କାହାକୁ ବି ମାଗଣା ସ୍ପେକ୍ଟ୍ରମ ଦିଆଯିବ ନାହିଁ। ଟେଲିକମ ରେଗୁଲେଟୋରୀ ଅଥୋରିଟି ବା ଟ୍ରାଇ ଏହାର ମୂଲ୍ଯ ନିର୍ଦ୍ଧାରଣ କରିବ।ଦୁଇ ଘରୋଇ ଟେଲିକମ କମ୍ପାନୀ ଯଥା ରିଲାଏନ୍ସ ଜିଓ ଓ ଏୟାରଟେଲ୍ ଚାହୁଁଛନ୍ତି, ସାଟେଲାଇଟ ବ୍ରଣ୍ଡବ୍ୟାଣ୍ଡ ସ୍ପେକ୍ଟ୍ରମର ନିଲାମ କରାଯାଉ ଓ ସମସ୍ତଙ୍କୁ ନିଲାମୀରେ ସମାନ ସୁଯୋଗ ଦିଆଯାଉ। ଆଉ ଯଦି ସରକାର ସାଟେଲାଇଟ ବ୍ରଡବ୍ୟାଣ୍ଡ୍ ଏୟାରୱେଭ୍ ମୂଲ୍ୟ ସ୍ଥିର କରି ଆବଣ୍ଟିନ କରନ୍ତି ତେବେ ପ୍ରତିଯୋଗିତାରେ ଅସମାନତା ଦେଖା ଦେବ ବୋଲି ଦୁଇ କମ୍ପାନୀ ଦାବି କରିଛନ୍ତି। ଏୟାରଟେଲ୍ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଯେଉଁ ସାଟେଲାଇଟ୍ କମ୍ପାନି ଭାରତର ସହରାଞ୍ଚଳରେ କାମ କରିବାକୁ ଚାହୁଁଛି ଓ ରିଟେଲ୍ ଗ୍ରାହକଙ୍କୁ ସେବା ଦେବାକୁ ଚାହୁଁଛି, ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ଟେଲିକମ ଲାଇସେନ୍ସ ପାଇଁ ଅର୍ଥ ଦେବା ଉଚିତ୍। ତା’ ଉପରେ ସେହି ସର୍ତ୍ତ ଲାଗୁ ହେବା ଉଚିତ୍, ଯାହା ଅନ୍ୟ କମ୍ପାନି ଉପରେ ଲାଗୁ ହୋଇଛି। ଅମ୍ବାନୀ କହିଛନ୍ତି ଯେଉଁମାନେ ଏୟରୱେବ୍ସ କିଣିବା ସହିତ ଟେଲିକମ ଟାୱାର ସ୍ଥାପନ କରୁଛନ୍ତି ସେମାନଙ୍କୁ ସମାନ ସୁଯୋଗ ଦିଆଯିବା ଦରକାର।ଭାରତରେ ଜିଓ ଓ ଏୟାର ଟେଲ୍ ଭୂତଳ କେବଲ ବିଛାଇ ଟେଲିକମ ସେବା ଦେବାକୁ ବିପୁଳ ପୁଞ୍ଜି ନିବେଶ କରି ଖର୍ଚ୍ଚାନ୍ତ ହୋଇଛନ୍ତି। ସେତେବେଳ ସରକାର ଟେଲିକମ ସ୍ପେକ୍ଟ୍ରମ ପାଇଁ ନିଲାମୀ ଡାକିଥିଲେ। ଦୁଇ କମ୍ପାନ ଏକଚାଟିଆ ଭାବେ ନିଲାମୀ ଧରି ବିପୁଳ ପୁଞ୍ଜି ନିବେଶ କରିଥିଲେ। ହେଲେ ଏବେ ସାଟକମ ପାଇଁ ନିଲାମୀ ଡକା ନଯିବାରୁ ମସ୍କ ଖୁବ୍ ଖର୍ଚ୍ଚରେ ସ୍ପେକ୍ଟ୍ରମ ପାଇଯିବେ। ଏଥିରେ ପ୍ରତିଯୋଗୀତାର ଅସମାନତା ଦେଖା ଦେବ ବୋଲି ଭାରତୀୟ ଟେଲିକମ କମ୍ପାନୀଗୁଡ଼ିକ ଦାବି କରିଛନ୍ତି। ତେବେ ଆଗାମୀ ସମୟ କହିବ ଇଣ୍ଟରନେଟ ଯୁଗରେ କଣ ପରିବର୍ତ୍ତନ ଆସୁଛି ।



