କ୍ରାଇମ

ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ତନାଘନା, କ୍ରାଇମ୍ ବ୍ରାଞ୍ଚ୍ ରେ ହାଜର ହୋଇପାରନ୍ତି ଦୀପାଳି ଓ ବିଶାଲ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ନୋଟିସ୍ ପାଇଥିବା ଶ୍ରୀ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ  ଓ  ତାଙ୍କ ଭାଇ ବିଶାଲ ଦାସ ସୋମବାର କ୍ରାଇମ୍ ବ୍ରାଞ୍ଚ୍ ରେ ହାଜର ହୋଇପାରନ୍ତି । ଘଟଣାରେ କ୍ରାଇମ୍ ବ୍ରାଞ୍ଚ୍ କରିଥିବା ତଦନ୍ତ ନେଇ ଯଦି ଉଭୟଙ୍କର କିଛି ଆପତ୍ତି ବା ଆଶଙ୍କା ଥାଏ ତାହେଲେ ସେମାନେ ହାଜର ହୋଇ ନିଜ ମତ ଜଣାଇ ପାରିବେ ।

କିଛି ଦିନ ତଳେ ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ କ୍ରାଇମ୍ ବ୍ରାଞ୍ଚ୍ ର ନିରପେକ୍ଷତା ଓ ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।  ହତ୍ୟା ମାମଲାରେ ଅଭିଯୋଗକାରୀ ଥିବା ସ୍ୱର୍ଗତ ଦାସଙ୍କ ପରିବାରଠାରୁ ଏକପ୍ରକାର ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ୍ ଜାରି ହୋଇଥିବା କ୍ରାଇମବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।

ଡିଜି ଶ୍ରୀ ମିଶ୍ରଙ୍କ କହିବାନୁସାରେ, ୪ରୁ ୫ ଦିନ ହେବ ଏହି ନୋଟିସ୍ ଦିଆଯାଇଛି ।  ୭ ଦିନ ମଧ୍ୟରେ ହାଜର ହେବାକୁ ଉଭୟଙ୍କୁ କୁହାଯାଇଥିଲା । ଅଭିଯୋଗକାରୀ ଭାବେ ଦୁହିଙ୍କ ମନରେ ଏହି ହତ୍ୟା ଘଟଣା ନେଇ ଯଦି କିଛି ଆଶଙ୍କା ରହିଛି ବା ସେମାନେ ତଦନ୍ତର କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଯଦି ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାଇଲେ ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

ଦିଆଯାଇଥିବା ସମୟ ଆସନ୍ତା ସୋମବାର ପୂରୁଥିବାରୁ ସମ୍ଭବତଃ ସେଦିନ ଦୁହେଁ ହାଜର ହୋଇ ପକ୍ଷ ରଖିବେ ବୋଲି କ୍ରାଇମବ୍ରାଞ୍ଚ୍ ଅନୁମାନ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button