କ୍ରାଇମ

ମାତିଛନ୍ତି; ଜଙ୍ଗଲ ସଫା କରିଦେବେ କାଠମାଫିଆ – Utkal Mail


ବେଧଡ଼କ ଚାଲିଛି ବେଆଇନ୍‌ କରତକଳ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ବେଆଇନ୍‌ କରତକଳ ସଂଖ୍ୟା ବଢ଼ି ଚାଲିଥିବା ବେଳେ କଦବା କେମିତି ନାମକୁ ମାତ୍ର ଚଢ଼ଉ କରୁଛି ବନ ବିଭାଗ। ଏହାର ସୁଯୋଗ ନେଇ କାଠ ମାଫିଆମାନେ ଜଙ୍ଗଲରୁ ଗଛ କାଟି କରତକଳରେ ଚିରିବାକୁ ସକ୍ଷମ ହେଉଛନ୍ତି। ବନ ବିଭାଗର ନିଷ୍କ୍ରିୟତା ପାଇଁ କାଠ ମାଫିଆମା​ନେ ହାତ ଚିକ୍କଣ କରୁଥିବା ବେଳେ ଜଙ୍ଗଲ ପଦା ହେବାରେ ଲାଗିଛି। ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, କେବଳ ଶିଳ୍ପ ଉଦ୍ଦିଷ୍ଟ ଅଞ୍ଚଳରେ କରତକଳ ଲାଗି ଅନୁମତି ମିଳିପାରିବ। ଏଥିପାଇଁ ରେମୁଣା ବ୍ଲକ୍‌ ସୋମନାଥପୁର ଓ ପଣପଣା ଅଞ୍ଚଳରେ ୮ଟି କରତକଳକୁ ଅନୁମତିପତ୍ର ମିଳିଛି। କିନ୍ତୁ ଜିଲ୍ଲାରେ ଶତାଧିକ ବେଆଇନ କରତକଳ ଚାଲୁଥିଲେ ମଧ୍ୟ ଏଥିପ୍ରତି ବନ ବିଭାଗ କିମ୍ବା ଭିଜିଲାନ୍ସ ଟିମ୍‌ ନିଘା ରଖୁନାହାନ୍ତି। ଗତ ୩ ବର୍ଷର ରିପୋର୍ଟ ଏହାର ଚାକ୍ଷୁସ ଉଦାହରଣ। ୨୦୨୦-୨୧ ମସିହାରେ ଜିଲ୍ଲାରେ ୨୭ଟି ବେଆଇନ୍‌ କରତକଳ ଉପରେ ଚଢ଼ଉ କରାଯାଇ ୭୦.୧୮୬ ସିଏଫ୍‌ଟି କାଠ ଜବତ କରାଯାଇଥିଲା। ଏଥିରେ ମାତ୍ର ୩ ଜଣ ଗିରଫ ହୋଇଥିଲେ। ଅନ୍ୟମାନଙ୍କ ନାଁରେ କେବଳ ମାମଲା ରୁଜୁ କରାଯାଇ ଛାଡ଼ି ଦିଆଯାଇଥିଲା। ୨୦୨୧-୨୨ ମସିହାରେ ୩୭ଟି ବେଆଇନ୍‌ କରତକଳ ଉପରେ ଚଢ଼ଉ ହୋଇଥିବା ବେଳେ ଜବତ ହୋଇଥିଲା ୯୧୯.୭୭୧ ସିଏଫ୍‌ଟି କାଠ। ଏହି ଘଟଣାରେ ୭ ଜଣ ଗିରଫ ହୋଇଥିଲେ। ସେହିପରି ୨୦୨୨-୨୩ ମସିହାରେ ୨୬ଟି ବେଆଇନ କରତକଳ ଉପରେ ଚଢ଼ଉ ହୋଇଥିବା ବେଳେ ୬୨୬.୯୩୮ ସିଏଫ୍‌ଟି କାଠ ଜବତ ହୋଇଥିଲା। ଏହି ମାମଲାରେ କାହାକୁ ଜଣକୁ ବି ଗିରଫ କରାଯାଇନାହିଁ।

ବେଧଡ଼କ ଚାଲିଛି ବେଆଇନ୍‌ କରତକଳ
୮ଟିକୁ ମିଳିଛି ଅନୁମତି, ଚାଲିଛି ଶତାଧିକ
୩ ବର୍ଷରେ ୯୦ ସ୍ଥାନରେ ଚଢ଼ଉ, ୧୦ ଗିରଫ

ନିକଟରେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ପଦାଗାଁ, ବସ୍ତା ଥାନାର ଧପାଖନ୍ଦ ଓ ପୋଡ଼ାଶୂଳ ଗାଁ ନିକଟରେ ୩ଟି, ସଦର ଥାନା ଅଧୀନ ଅନନ୍ତପୁର, ରୂପ୍‌ସା ଥାନା ଜାମୁନିଆ ଅଞ୍ଚଳରେ ୩ଟି ଓ ଭୋଗରାଇ ବ୍ଲକ୍‌ରେ ୪ଟି କରତକଳ ଉପରେ ଚଢ଼ଉ କରାଯିବା ସହ ବାଲିଆପାଳ ବ୍ଲକ୍‌ରେ ମଧ୍ୟ ଧରପଗଡ଼ କରାଯାଇଛି। ଏହାଛଡ଼ା ପରିଖି, ରୂପ୍‌ସା, ଲଛମନଖୁଣ୍ଟା, ମଧୁପୁରା, ହଳଦୀପଦା, ରେମୁଣା, ସିମୁଳିଆ, ସୋର, ନୀଳଗିରି, ଔପଦା ଆଦି ଅଞ୍ଚଳରେ ଲୁଚାଛପା ଭାବେ ବହୁ ସଂଖ୍ୟାରେ ବେଆଇନ କରତକଳ ଚାଲିଛି। ତେବେ ବନ ବିଭାଗ ଥରେ ଅଧେ ଚଢ଼ଉ କରି ବସି ଯାଉଥିବାରୁ କିଛି ଦିନ ଉତ୍ତାରୁ ବିଭିନ୍ନ ସ୍ଥାନରେ ପୁଣି ବେଆଇନ କରତକଳ ମୁଣ୍ଡ ଟେକୁଥିବା ରୂପ୍‌ସାର ପରିବେଶପ୍ରେମୀ ରବୀନ୍ଦ୍ର କୁମାର ବେହେରା ଅଭିଯୋଗ କରିଛନ୍ତି। ସୂଚନାଥାଉକି, କିଛିଦିନ ପୂର୍ବରୁ ଜିଲ୍ଲା ପରିଷଦ ବୈଠକ​ରେ ବନ ବିଭାଗ କାର୍ଯ୍ୟ ଉପରେ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲ୍ଲା​ରେ ବେଆଇନ୍‌ କରତକଳ ବଢି ଚାଲିଥିବା ବେଳେ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ଦାବି କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button