ଦେଶ ବିଦେଶ

ମହାରାଷ୍ଟ୍ର ବିଧାନସଭା: ନିର୍ଦ୍ବନ୍ଦ୍ବରେ ବାଚସ୍ପତି ନିର୍ବାଚିତ ହେଲେ ରାହୁଲ ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ବିରୋଧୀ ମହା ବିକାଶ ଅଘାଡି (ଏମ୍‌ଭିଏ) ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ମନା କରିଦେବା ପରେ ଏଭଳି ସ୍ଥିତି ଉପୁଜିଛି। ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବିରୋଧୀ ମେଣ୍ଟ ଏମ୍‌ଭିଏ ବିଧାନସଭାରେ ବିରୋଧୀ ଦଳ ନେତା ପଦ ଓ ଉପବାଚସ୍ପତି ପଦ ପାଇଁ ଆନୁଷ୍ଠାନିକ ଦାବି ଉପସ୍ଥାପନ କରିଥିବା ବେଳେ ବାଚସ୍ପତି ପଦ ପାଇଁ କୌଣସି ପ୍ରାର୍ଥୀ ଦେଇନଥିଲା। ନିକଟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଇଭିଏମ୍ ଅପବ୍ୟବହାର ହୋଇଥିବା ଅଭିଯୋଗ ଆଣି ଯେଉଁ ଏମଭିଏ ବିଧାୟକମାନେ ଗତକାଲି ଶପଥ ଗ୍ରହଣ କରିନଥିଲେ ସେମାନେ ଆଜି ସକାଳୁ ଶପଥ ନେବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାୱାର ନିର୍ବାଚନ ଫଳାଫଳ ନେଇ ପୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିବାରୁ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି ଯେ ଦେଶବାସୀଙ୍କୁ ପାୱାର ବିଭ୍ରାନ୍ତ କରିବା ଉଚିତ ନୁହେଁ। ନିର୍ବାଚନରେ ପରାଜୟକୁ ସ୍ବୀକାର କଲେ ହିଁ ଏହା ଅଧିକ ସୁବିଧାଜନକ ହେବ ବୋଲି ସେ କହିଛନ୍ତି। ଗତ ୬ ଦଶନ୍ଧିର ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ମେଣ୍ଟ ଏମଭିଏର କୌଣସି ଦଳ ପାଖରେ ବିରୋଧୀ ଦଳ ନେତା ହେବା ପାଇଁ ପର୍ଯ୍ୟାପ୍ତ ଆସନ ନଥିବାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button