ଓଡିଶା

ଗାଡ଼ିର ବୀମା ନଥିଲେ କାର୍ଯ୍ୟାନୁଷ୍ଠାନ: ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

କଟକ: ଏଣିକି ମୋଟର ଯାନର ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍‌। ଏହି ଇ-ଡିଟେକ୍ସନ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କ ନାମରେ ଜାରିହେବ ଇ-ଚାଲାଣ। ଆସନ୍ତା ଫେବ୍ରୁଆରି ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ। ବୈଧ ବୀମା ନଥାଇ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ
ଫେବ୍ରୁଆରି ପହିଲାରୁ କଟକଣା
ଟୋଲ୍‌ଗେଟ୍‌ରେ ଧରାପଡ଼ିଯିବ

ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ବରମ୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ବି ରହିଛି। ଅନେକ ଘରୋଇ ଓ ବ୍ୟାବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଇ- ଡିଟେକ୍ସନରେ ପରମିଟ୍‌, ଫିଟ୍‌ନେସ, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲ୍‌ଗେଟ୍‌ରେ ଚିହ୍ନଟ କରାଯାଉଥିଲା। ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ। ଏନ୍‌ଫୋର୍ସମେଣ୍ଟରେ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଏବେ ମୋଟ ୯୦ ଲକ୍ଷ ଗାଡ଼ି ପଞ୍ଜୀକରଣ ହୋଇ ସଡ଼କରେ ଚାଲୁଛି। କିନ୍ତୁ କେତେ ସଂଖ୍ୟାରେ ଗାଡ଼ିର ବୀମା ନାହିଁ, ସେ ସମ୍ପର୍କିତ ତଥ୍ୟ ପରିବହନ ବିଭାଗରେ ନାହିଁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button