କ୍ରୀଡା

ଅନ୍ତର୍ଜାତୀୟ କ୍ରିକେଟରୁ ମୁରଲୀ ବିଜୟଙ୍କ ଅବସର

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସୋମବାର (ଜାନୁଆରୀ ୩୦) ଟ୍ୱିଟରରେ ତାଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ବିଜୟ କହିଛନ୍ତି ଯେ ସେ ବର୍ତ୍ତମାନ ବିଦେଶୀ ଲିଗରେ ଭାଗ୍ୟ ପରୀକ୍ଷା କରିବେ। ବିଜୟ ଶେଷ ଥର ପାଇଁ ଡିସେମ୍ବର ୨୦୧୮ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଭାରତ ପାଇଁ ୬୧ଟି ଟେଷ୍ଟ, ୧୭ଟି ଦିନିକିଆ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

ବିଜୟ ୬୧ ଟେଷ୍ଟରେ ୩୯୮୨ ରନ୍ କରିଥିବା ବେଳେ ୧୭ଟି ଦିନିକିଆରେ ୩୩୯ ରନ୍ ଏବଂ ନଅ ଟି -୨୦ ମ୍ୟାଚରେ ୧୬୯ ରନ୍ କରିଛନ୍ତି। ସେ ଟେଷ୍ଟରେ ୧୨ଟି ଶତକ ଓ ୧୫ ଅର୍ଦ୍ଧଶତକ ହାସଲ କରିଥିଲେ । କ୍ରିକେଟର ସବୁଠାରୁ ବଡ ଫର୍ମାଟରେ ମୁରଲୀ ବିଜୟଙ୍କ ରେକର୍ଡ ଭଲ ଥିଲା । ସେ ଟେଷ୍ଟ ଫର୍ମାଟରେ ୩୮.୨୮ ଆଭରେଜରେ ରନ୍ କରିଥିଲେ। ଟେଷ୍ଟ କ୍ରିକେଟରେ ବିଜୟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୬୭ ରନ୍ ଥିଲା। ତେବେ ସେ ଦିନିକିଆ ଓ ଟି-୨୦ ରେ ଟେଷ୍ଟ ଭଳି ସଫଳତା ଦୋହରାଇ ପାରିନଥିଲେ ।

ଜୁନ୍ ୨୦୧୮ ରେ ଆଫଗାନିସ୍ତାନ ବିପକ୍ଷରେ ବେଙ୍ଗାଲୁରୁ ଟେଷ୍ଟରେ ଶତକ ହାସଲ କରିଥିବା ମୁରଲୀ ବିଜୟ ପରବର୍ତ୍ତୀ ଚାରିଟି ଟେଷ୍ଟରେ ବିଫଳ ହେବା ପରେ ଦଳରୁ ବାଦ୍ ପଡ଼ିଥିଲେ । ସେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦୁଇଟି ଲେଖାଏଁ ଟେଷ୍ଟରେ ତାଙ୍କ ବ୍ୟାଟ୍ ଚାଲିନଥିଲା । ଏହାପରେ ସେ ଦଳରେ ସ୍ଥାନ ହରାଇଥିଲେ ଏବଂ ଆଉ ସୁଯୋଗ ପାଇନଥିଲେ। ସେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୮ରେ ନିଜ ଟେଷ୍ଟ ଡେବ୍ୟୁ ଖେଳିଥିଲେ। ୨୦୧୦ରେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟରର ପ୍ରଥମ ଦିନିକିଆ ଖେଳିଥିଲେ । ସେହି ବର୍ଷ ଗ୍ରସ ଆଇସଲେଟରେ ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ପଦାର୍ପଣ କରିଥିଲେ ।

ଆଇପିଏଲରେ ମୁରଲୀ ବିଜୟ ଓପନର୍ ବ୍ୟାଟ୍ସମ୍ୟାନ୍ ଭାବେ ସଫଳ ହୋଇଥିଲେ। ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗସ) ପାଇଁ ଖେଳିଥିଲେ। ସେ ଚେନ୍ନାଇ ଫ୍ରାଞ୍ଚାଇଜ୍ ସହିତ ଅଧିକ ସଫଳତା ହାସଲ କରିଥିଲେ । ବିଜୟ ଆଇପିଏଲରେ ୧୦୬ ଟି ମ୍ୟାଚରେ ୨୫.୯୩ ଆଭରେଜ୍ ସହ ୨୬୧୯ ରନ୍ କରିଥିଲେ । ଏଥିରେ ଦୁଇଟି ଶତକ ଏବଂ ୧୩ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button