ମନୋରଞ୍ଜନ

ଶ୍ରୀମୟ ମହାପାତ୍ରଙ୍କ ହାତ ଧରିଲେ ଧରାକୋଟ ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ

ବାଜୁଛି ଶାହାନାଇ । ପଡ଼ୁଛି ହୁଳହୁଳି । ଶଙ୍ଖନାଦ, ଓ ଢୋ ଢା ବାଣ ଶବ୍ଦରେ କମ୍ପି ଉଠୁଛି ପୂରା ଧରାକୋଟ । ଚାଲିଛି ବାହାଘର । ଫୁଲ ହାର ପିନ୍ଧାଇ ସାରା ଜୀବନ ପାଇଁ ହାତ ଧରିଛନ୍ତି ରାଣୀ । ସମସ୍ତଙ୍କ ଆଶୀର୍ବାଦ ନେଇ ରାଜକୀୟ ପରମ୍ପରାରେ ବାହା ହେଉଛନ୍ତି ।

ହଁ ଆଜ୍ଞା, ହାତକୁ ଦି ହାତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଗତ ୭ ତାରିଖରେ ରାଣୀଙ୍କ ବିବାହ ଭୁବନେଶ୍ବରରେ ସମ୍ପନ୍ନ ହୋଇଛି । କିନ୍ତୁ ବିବାହ ଭୋଜି ଧରାକୋଟ ରାଜବାଟିରେ ଆୟୋଜିତ ହୋଇଥିଲା । ହଜାର ହଜାର ଲୋକ ବିବାହ ଭୋଜିରେ ଯୋଗ ଦେଇଥିଲେ । ଧରାକୋଟ ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଭୁବନେଶ୍ବର ଏକାମ୍ରର କ୍ଷେତ୍ରର ଶ୍ରୀମୟ ମହାପାତ୍ରଙ୍କୁ ବିବାହ କରିଛନ୍ତି । ରାଣୀଙ୍କ ପିଉସା ଛତିଶଗଡର ଭାଟଗାଁ ରାଜା ପୁଷ୍ପେନ୍ଦ୍ର ପ୍ରତାପ ଚୌହାନ, ପିଉସୀ ରାଣୀ ସାଇ ଦର୍ଶନୀ ଦେବୀ କର୍ତ୍ତା ଭାବରେ କନ୍ୟାଦାନ କରିଥିଲେ । ସମ୍ପୂର୍ଣ୍ଣ ରାଜକୀୟ ରୀତି ନୀତିରେ ବିବାହ ହୋଇଥିଲା । ଏହି ବିବାହ ଉତ୍ସବରେ ରାଜମାତା ନନ୍ଦିନୀ ଦେବୀ, ସାନ ଭଉଣୀ ଶାନ୍ତିପ୍ରିୟ ଗୀତାଞ୍ଜଳିଙ୍କ ସମେତ ଦେଶର ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜ ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ଧରାକୋଟ ରାଜ୍ୟର ପ୍ରଥମ ରାଜା ହାଡୁ ସିଂହ ୧୫୪୦ ମସିହାରେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ପରେ ୨୩ ଜଣ ରାଜା ଧରାକୋଟ ରାଜସିଂହାସନରେ ବସିଛନ୍ତି । ତେବେ ୨୦୧୦ ମେ ମାସ ୨୮ ତାରିଖରେ ତତ୍କାଳୀନ ରାଜା କିଶୋର ସିଂ ଦେଓଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କ ଜେଷ୍ଠ କନ୍ୟା ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା । ସେ ୨୦୧୦ ଜୁନ ମାସ ୮ ତାରିଖରେ ଧରାକୋଟ ରାଜ୍ୟର ରାଜ ସିଂହାସନ ଗ୍ରହଣ କଲେ। ୩୧ ହଜାର ୬୯୧ ହେକ୍ଟର ପରିମିତ ଅଞ୍ଚଳ । ୧୪ କୋଷ ଓ ୧୮୮ ରାଜସ୍ୱ ଗାଁକୁ ନେଇ ଧରାକୋଟ ରାଜ୍ୟ ।

ଏବେ ଆସନ୍ତୁ ଜାଣିବା ରାଣୀ ରାଣୀ ସୁଲକ୍ଷଣା ଗୀତାଞ୍ଜଳିଙ୍କ ବିଷୟରେ । ୧୯୯୬ ମସିହା ଜାନୁୟାରୀ ୨୦ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ । ଛତିଶଗଡର ରାଇପୁରରେ ଥିବା ରାଜ କୁମାର କଲେଜରେ ପ୍ରଥମରୁ +2 ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ଭୁବନେଶ୍ବରର କିଟ୍ ବିଶ୍ବବିଦ୍ୟାଳୟରେ ଆଇନ ବିଭାଗରେ ଶିକ୍ଷା ଗ୍ରହଣ କରିଥିଲେ । ସୁଲକ୍ଷଣାଙ୍କ ଜେଜେ ବାପା ଅନନ୍ତ ନାରାୟଣ ସିଂଦେଓ, ଜେଜେ ମା ଶାନ୍ତି ଦେବୀ, ପିତା କିଶୋର ସିଂଦେଓ, ମାତା ନନ୍ଦିନୀ ଦେବୀ ବିଭିନ୍ନ ସମୟରେ ରାଜ୍ୟ ରାଜନୀତି କ୍ଷେତ୍ରରେ ଧରାକୋଟ ପାଇଁ ଜନପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଧରାକୋଟ ବ୍ଲକର ଅଧ୍ୟକ୍ଷା ଅଛନ୍ତି ।

ତେବେ ସୁଲକ୍ଷଣା ଗୀତାଞ୍ଜଳିଙ୍କ ବିବାହ ପରେ ପୁଣି ଧରାକୋଟ ରାଜ ପରିବାରର କିଏ ରାଜା ହେବେ ତାକୁ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି । ସମସ୍ତଙ୍କର ଆଶା ସାନ ଭଉଣୀ ଶାନ୍ତିପ୍ରିୟ ଗୀତାଞ୍ଜଳିଙ୍କୁ ରାଜ୍ୟ ଭାର ଦିଆଯାଇ ପାରେ । ତେବେ ରାଜମାତା ପୁରୀ ମୁକ୍ତି ମଣ୍ଡପର ପରାମର୍ଶରେ ହିଁ ରାଜ୍ୟ ଭାର ପ୍ରଦାନ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button