କ୍ରୀଡା

India vs Sri Lanka: ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ଆରମ୍ଭ, ଗାଲେରେ ଆଜି ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ଶ୍ରୀଲଙ୍କା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଗାଲେ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟେଷ୍ଟ। ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ଖେଳିବାକୁ ଓହ୍ଲାଉଛି ଟିମ୍ ଇଣ୍ଡିଆ। ଶେଷଥର ୨୦୧୭ରେ ଶ୍ରୀଲଙ୍କା ଗସ୍ତରେ ଭାରତ ୩-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରିଥିଲା। ଏହି ସିରିଜ୍ ଭାରତ ପାଇଁ କେବଳ ଆଉ ଏକ ବିଦେଶ ଗସ୍ତ ନୁହେଁ। World Test Championship ଦୌଡ଼ରେ ରହିବାକୁ ହେଲେ ଶୁଭମନ ଗିଲଙ୍କ ଦଳ ପାଇଁ ଶ୍ରୀଲଙ୍କାରେ ବିଜୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତ ବର୍ତ୍ତମାନ WTC ଟେବୁଲରେ ପଞ୍ଚମ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହିଛି।

ଫାଇନାଲ୍ ଦୌଡ଼ରେ ନିଜ ସମ୍ଭାବନା ବଜାୟ ରଖିବାକୁ ଭାରତକୁ ଆଗାମୀ ଟେଷ୍ଟଗୁଡ଼ିକରେ ଲଗାତାର ବିଜୟ ଆବଶ୍ୟକ।ଗାଲେ ପିଚ୍ ସାଧାରଣତଃ ସ୍ପିନରଙ୍କୁ ସହାୟତା କରିଥାଏ। ତେଣୁ ଭାରତ ୩ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଅଭିଜ୍ଞତା ଏଠାରେ ଭାରତର ବଡ଼ ଶକ୍ତି ହୋଇପାରେ। ମାନବ ସୁଥାର ମଧ୍ୟ ଟେଷ୍ଟ ଡେବ୍ୟୁ ପାଇଁ ଦାବିଦାର। ଏପଟେ ଭାରତ ପାଇଁ ବଡ଼ ଝଟକା ହେଉଛି ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି। ଆହତ କାରଣରୁ ସେ ଏହି ସିରିଜରେ ନାହାନ୍ତି। ତେଣୁ pace attackର ମୁଖ୍ୟ ଦାୟିତ୍ୱ ମହମ୍ମଦ ସିରାଜଙ୍କ ଉପରେ ରହିବ। ତାଙ୍କ ସହ ପ୍ରସିଦ୍ଧ କ୍ରିଷ୍ଣା ନୂଆ ବଲ୍ ସମ୍ଭାଳିବାର ପ୍ରମୁଖ ଦାବିଦାର।

ସାଇ ସୁଦର୍ଶନ ମଧ୍ୟ ଆହତ ଯୋଗୁ ସିରିଜରୁ ବାଦ୍ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ ସର୍ଫରାଜ ଖାନ୍ ଦଳକୁ ଫେରିଛନ୍ତି।ବ୍ୟାଟିଂରେ ଗିଲ୍ , ରାହୁଲ୍ , ଜୟସ୍ୱାଲଙ୍କ ଉପରେ ନଜର। ଅଧିନାୟକ ଶୁଭମନ ଗିଲଙ୍କ ସହ କେଏଲ୍ ରାହୁଲ, ଯଶସ୍ୱୀ ଜୟସ୍ୱାଲ ଓ ଋଷଭ ପନ୍ତଙ୍କ ଉପରେ ଭାରତୀୟ ବ୍ୟାଟିଂର ବଡ଼ ଦାୟିତ୍ୱ ରହିବ। ଗାଲେର ଟର୍ନିଂ ଟ୍ରାକରେ ଶ୍ରୀଲଙ୍କାର ପ୍ରଭାତ ଜୟସୂର୍ଯ୍ୟଙ୍କୁ କିପରି ଭାରତୀୟ ବ୍ୟାଟର୍ ମାନେ ସାମ୍ନା କରୁଛନ୍ତି, ତାହା ମ୍ୟାଚର ଗତି ନିର୍ଣ୍ଣୟ କରିପାରେ।ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୪୬ଟି ଟେଷ୍ଟ ଖେଳାଯାଇଛି। ଭାରତ ୨୨ଟି ଓ ଶ୍ରୀଲଙ୍କା ୭ଟି ଜିତିଥିବାବେଳେ ୧୭ଟି ଡ୍ର ରହିଛି। ତେବେ ଘରୋଇ ପରିବେଶ ଓ ଗାଲେର ସ୍ପିନ୍ ଟ୍ରାକ୍ ଯୋଗୁଁ ଶ୍ରୀଲଙ୍କାକୁ ହାଲୁକା ଭାବେ ନେବା ଭାରତ ପାଇଁ ବିପଦଜନକ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button