Devdutt Padikkal Maiden Test Century : ଗର୍ଜିଲା ଦେବଦତ୍ତ ପାଡିକ୍କଲଙ୍କ ବ୍ୟାଟ୍, ଶ୍ରୀଲଙ୍କା ବିପକ୍ଷରେ ହାସଲ କଲେ ପ୍ରଥମ ଟେଷ୍ଟ ଶତକ

ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟରେ ଡେବ୍ୟୁ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟର ଦେବଦତ୍ତ ପାଡିକ୍କଲ । ନଂ ୩ରେ ସ୍ଥାନରେ ବ୍ୟାଟିଂ କରିଥିବା ଦେବଦତ୍ତ ଟେଷ୍ଟ କ୍ୟାରିଅରରେ ପ୍ରଥମ ଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ଦେବଦତ୍ତ ୯ ଚଉକା ଏବଂ ୧ ଛକା ସହାୟତାରେ ୧୩୪ ବଲରେ ନିଜର ଶତକ ପୂରଣ କରିଛନ୍ତି ।
ଦେବଦତ୍ତ ପାଡିକ୍କଲ ଭାରତ ପାଇଁ ୩ୟ ସ୍ଥାନରେ ବ୍ୟାଟିଂ କରି ଟେଷ୍ଟ ଶତକ କରିଥିବା ଦ୍ବିତୀୟ ବାମହାତୀ ବ୍ୟାଟର । ଏହାପୂର୍ବରୁ କେବଳ ସୌରଭ ଗାଙ୍ଗୁଲି ଏଭଳି କରିପାରିଥିଲେ । ସୌରଭ ଗାଙ୍ଗୁଲି ୨୦୦୨ରେ ଦିଲ୍ଲୀରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ୧୩୬ ରନ୍ କରିଥିଲେ । ଦୀର୍ଘ ଦିନ ପରେ କୌଣସି ଭାରତୀୟ ବ୍ୟାଟର ଟେଷ୍ଟ କ୍ରିକେଟରେ ୩ ନଂ ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।
ଦେବଦତ୍ତ ପାଡିକ୍କଲଙ୍କୁ ଆହତ ସାଇ ସୁଦର୍ଶନଙ୍କ ଅନୁପସ୍ଥିତିରେ ତୃତୀୟ ନମ୍ବରରେ ସୁଯୋଗ ମିଳିଥିଲା । ଏହି ସୁଯୋଗକୁ ସେ ଶତକରେ ପରିଣତ କରି ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି ।
ଏହା ପୂର୍ବରୁ ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ମଧ୍ୟ ପାଡିକ୍କଲ ଅପରାଜିତ ଶତକ ହାସଲ କରିଥିଲେ । ତେଣୁ ଗଲ୍ ରେ ତାଙ୍କ ଟେଷ୍ଟ ଶତକ ତାଙ୍କ ଫର୍ମକୁ ସୁଦୃଢ଼ କରିଛି । ତାଙ୍କ ଦମଦାର ଇନିଂସ ଗଲ୍ ରେ ଭାରତକୁ ମଜବୁତ ସ୍ଥିତି ଦେଇଛି ।
ତେବେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ୱିକେଟ ହରାଇ ୨୮୮ ରନ୍ କରିଛି । ପ୍ରଥମ ଇନିଂସରେ ଯଶସ୍ବୀ ଜୟସୱାଲ ୩୨ ରନ୍, କେଏଲ ରାହୁଲ ୭୭ (ରିଟାୟର୍ଡ ହର୍ଟ), ଶୁବମନ ଗିଲ୍ ୧୬ ରନ୍ ଆଉଟ୍ ହୋଇଛନ୍ତି । ଦେବଦତ୍ତ ପାଡିକ୍କଲ ୧୩୧ ରନ ଏବଂ ରିଷଭ ପନ୍ତ ୨୭ ରନ୍ କରି ବ୍ୟାଟିଂ କରୁଛନ୍ତି ।