ଦେଶ ବିଦେଶ

Warning: ୨୧୦୦ ମସିହା ସୁଦ୍ଧା ବିଲୁପ୍ତ ହୋଇପାରେ ମାନବଜାତି! ପରମାଣୁ ଯୁଦ୍ଧ ଓ AI ଜୈବିକ ଅସ୍ତ୍ରକୁ ନେଇ ‘ଦି ଲାନସେଟ୍ ’ର ଚେତାବନୀ

ମାନବଜାତିର ଭବିଷ୍ୟତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛି ବିଶ୍ୱର ପ୍ରମୁଖ ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ୍ ’। ପରମାଣୁ ଯୁଦ୍ଧ ଏବଂ କୃତ୍ରିମ ବୁଦ୍ଧିମତ୍ତା ବା AIର ଅପବ୍ୟବହାର ମାନବ ସଭ୍ୟତା ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏପରିକି ୨୧୦୦ ମସିହା ସୁଦ୍ଧା ଏହି ଦୁଇ କାରଣରୁ ମାନବଜାତି ବିଲୁପ୍ତ ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ଏଭଳି ବିପର୍ଯ୍ୟୟ ଘଟିବାର ସମ୍ଭାବନା କମ୍ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । ‘ଦି ଲାନସେଟ୍ କମିଶନ ଅନ୍ ଟ୍ବେଣ୍ଟି ଫାଷ୍ଟ ସେଞ୍ଚୁରୀ ଗ୍ଲୋବାଲ ଥ୍ରେଟ୍ସ ଟୁ ହେଲ୍ଥ’ ଶୀର୍ଷକ ରିପୋର୍ଟରେ ଆଗାମୀ ୭୫ ବର୍ଷ ମଧ୍ୟରେ ବିଶ୍ୱ ପାଇଁ ୧୭ଟି ବଡ଼ ବିପଦ ଚିହ୍ନଟ କରାଯାଇଛି । ୩୫ ଜଣ ବିଶେଷଜ୍ଞଙ୍କ ସହଯୋଗରେ ପ୍ରସ୍ତୁତ ଏହି ରିପୋର୍ଟରେ ପରମାଣୁ ଯୁଦ୍ଧ ଓ AIର କ୍ଷତିକାରକ ବ୍ୟବହାରକୁ ମାନବଜାତିର ଅସ୍ତିତ୍ୱ ପ୍ରତି ବିପଦ ଭାବେ ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ, ବଡ଼ଧରଣର ପରମାଣୁ ଯୁଦ୍ଧ ହେଲେ କେବଳ ବିସ୍ଫୋରଣରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେବ ନାହିଁ, ଏହାର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼ିପାରେ । ବିସ୍ଫୋରଣ ପରେ ବାୟୁମଣ୍ଡଳରେ ବହୁ ପରିମାଣର ଧୂଆଁ ଓ କଣିକା ଜମା ହୋଇ ସୂର୍ଯ୍ୟକିରଣକୁ ବାଧା ଦେଇପାରେ । ଫଳରେ ପୃଥିବୀର ତାପମାତ୍ରା ହ୍ରାସ ପାଇବା ସହ କୃଷି ଉତ୍ପାଦନ ବ୍ୟାହତ ହେବ । ଏଥିରୁ ବିଶ୍ୱବ୍ୟାପୀ ଭୟଙ୍କର ଖାଦ୍ୟ ସଙ୍କଟ ଓ ଦୁର୍ଭିକ୍ଷ ସୃଷ୍ଟି ହୋଇପାରେ । ସେହିପରି AI ସହାୟତାରେ ଜୈବିକ ଅସ୍ତ୍ର ପ୍ରସ୍ତୁତିର ଆଶଙ୍କାକୁ ନେଇ ମଧ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।  AIର ଅପବ୍ୟବହାର କରି ବିପଜ୍ଜନକ ଜୈବିକ ଅସ୍ତ୍ର ବିକଶିତ କରାଗଲେ ଏହା ମାନବ ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ।

କେବଳ ପରମାଣୁ ଯୁଦ୍ଧ କିମ୍ବା AI ନୁହେଁ, ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ମହାମାରୀ, ଔଷଧ ପ୍ରତିରୋଧୀ ସଂକ୍ରମଣ, ଶିଶୁ ପୁଷ୍ଟିହୀନତା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ମେଦବହୁଳତା, ଆର୍ଥିକ ଅସମାନତା ଓ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସହାୟତା ହ୍ରାସକୁ ମଧ୍ୟ ରିପୋର୍ଟରେ ବଡ଼ ବିପଦ ଭାବେ ଦର୍ଶାଯାଇଛି । ଗବେଷକମାନଙ୍କ ଆକଳନ ଅନୁସାରେ, ପରମାଣୁ ସଂଘର୍ଷ ରୋକିବା ପାଇଁ ପଦକ୍ଷେପ ନିଆଗଲେ ୨୧୦୦ ସୁଦ୍ଧା ପ୍ରାୟ ୧୩ କୋଟି ୩୦ ଲକ୍ଷ ସମ୍ଭାବ୍ୟ ମୃତ୍ୟୁକୁ ଏଡ଼ାଯାଇପାରିବ । ସେହିପରି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା ଦ୍ୱାରା କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିବାକୁ ଥିବା କୁପ୍ରଭାବ କମାଯାଇପାରିବ । ତେବେ ଏହା ନିଶ୍ଚିତ ମୃତ୍ୟୁସଂଖ୍ୟା ନୁହେଁ, ବରଂ ଗବେଷଣାଭିତ୍ତିକ ଆକଳନ ।

ଲାନସେଟ୍ କମିଶନର ସହ-ଅଧ୍ୟକ୍ଷ ପ୍ରଫେସର କ୍ରିଷ୍ଟୋଫର ମରେ କହିଛନ୍ତି, ଆଜି ବିଶ୍ୱର ନେତାମାନେ ନେଉଥିବା ନିଷ୍ପତ୍ତି ଆଗାମୀ ପିଢ଼ିର ସ୍ୱାସ୍ଥ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବ । ବିପଦ ରୋକିବା ପାଇଁ ଏବେ ମଧ୍ୟ ସୁଯୋଗ ରହିଛି । ତେଣୁ ବିଶ୍ୱର ସମସ୍ତ ଦେଶ ମିଳିତ ଭାବେ ପ୍ରତିଷେଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁରକ୍ଷା ଓ ନୂତନ ବିପଦ ଉପରେ ନଜର ରଖିବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ୨୧୦୦ ସୁଦ୍ଧା ମାନବଜାତି ନିଶ୍ଚିତ ଭାବେ ବିଲୁପ୍ତ ହେବ ବୋଲି ରିପୋର୍ଟ କହିନାହିଁ । ବରଂ ସମ୍ଭାବ୍ୟ ବିପଦକୁ ଏବେଠାରୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଚେତାଇ ଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button