କ୍ରୀଡା

ଆଡିଲେଡ୍ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜର ସବୁଠୁ ବଡ଼ ପରାଜୟ, ଟେଷ୍ଟ କ୍ରିକେଟରେ କେବଳ ୧୨ ଥର ହୋଇଛି ଏମିତି

ଆଡିଲେଡ୍: ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳକୁ ୪୧୯ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୪୯୭ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ଯାଇ କାରିବିୟାନ୍‌ ଦଳ ମାତ୍ର ୭୭ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି । ରନ୍ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଏହା ୱେଷ୍ଟଇଣ୍ଡିଜର ସବୁଠାରୁ ବଡ଼ ପରାଜୟ । ଏହା ପୂର୍ବରୁ ୫୩ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ସିଡନୀ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ଦଳକୁ ୩୮୨ ରନ୍ ବ୍ୟବଧାନରେ ହରାଇଥିଲା । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜର କୌଣସି ବ୍ୟାଟ୍ସମ୍ୟାନ୍ ମଧ୍ୟ ୨୦ ରନ୍ ଛୁଇଁ ପାରିନଥିଲେ। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ, ମାଇକେଲ ନେସର ଏବଂ ସ୍କଟ ବୋଲାଣ୍ଡ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ନାଥନ ଲିୟନ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ । ଏହି ବଡ଼ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ୍ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିଛି ।

ଟେଷ୍ଟ କ୍ରିକେଟର ୧୩୫ ବର୍ଷର ଇତିହାସରେ କେବଳ ୧୨ ଥର ପାଇଁ ଏକ ଦଳ ୪୦୦ରୁ ଊର୍ଦ୍ଧ୍ବ ରନ୍ ବ୍ୟବଧାନରେ ଏକ ମ୍ୟାଚ ଜିତିଛି । ରନ୍ ବ୍ୟବଧାନରେ ସର୍ବ ବୃହତ ବିଜୟ ରେକର୍ଡ ଇଂଲଣ୍ଡ ନାମରେ ରହିଛି। ୧୯୨୮ ମସିହାରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୬୭୫ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ କୌଣସି ଦଳକୁ ୪୦୦ ରନ୍ ବ୍ୟବଧାନରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ମଧ୍ୟ ଦୁଇଥର ୪୦୦ ରନରୁ ଊର୍ଦ୍ଧ୍ବ ବ୍ୟବଧାନରେ ବିଜୟୀ ହୋଇଛି । ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଥରେ ଲେଖାଏଁ ଏଭଳି କୀର୍ତ୍ତିମାନ କରିଛନ୍ତି।

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅଷ୍ଟ୍ରେଲୀୟ ସ୍ପିନର୍ ନାଥନ୍ ଲିଅନ୍ ପାଇଁ ସ୍ମରଣୀୟ ହୋଇଛି । ସେ ଏହି ମ୍ୟାଚରେ ୪ଟି ଓ୍ବିକେଟ୍ ନେଇଥିଲେ । ଏଥିସହ ସେ ଟେଷ୍ଟରେ ୪୫୦ ୱିକେଟ୍ ପୂରଣ କରିଛନ୍ତି । ସେ ନିଜ ୧୧୨ତମ ଟେଷ୍ଟ ମ୍ୟାଚରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଟେଷ୍ଟ କ୍ରିକେଟରେ ୪୫୦ ୱିକେଟ୍ ନେବାରେ ଲିଅନ୍ ବିଶ୍ବର କେବଳ ଅଷ୍ଟମ ବୋଲର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button