ମନ ମୋହୁଛି ସମ୍ବଲପୁରୀ କପଡ଼ାର ଅଳଙ୍କାର : ଦାମ୍ କମ୍, ଦେଖିବାକୁ ଆକର୍ଷଣୀୟ – Utkal Mail
ସମ୍ବଲପୁର: ପାରମ୍ପରିକ ପୋଷାକ ସହିତ ମ୍ୟାଚିଂ କରି ପାରମ୍ପରିକ ଗହଣା ପିନ୍ଧିବା ଏବେ ମହିଳାଙ୍କ ପସନ୍ଦ। ତେଣୁ ଏହାକୁ ଆଖି ଆଗରେ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ବଲପୁରସ୍ଥିତ ସମ୍ବଲଶ୍ରୀ ଫ୍ୟାସନ୍ ସମ୍ବଲପୁରୀ ପୋଷାକକୁ ମ୍ୟାଚ୍ କରି ଏହି ଗହଣା ତିଆରି କରୁଛି। ସମ୍ବଲପୁରୀ କପଡ଼ାରୁ ଏହି ଅଳଙ୍କାର ତିଆରି କରାଯାଉଥିବାରୁ ଏହାକୁ ସମ୍ବଲପୁରୀ ଫ୍ୟାବ୍ରିକ୍ ଅଳଙ୍କାର ବୋଲି କୁହାଯାଉଛି। ଏଥିରୁ କାନଫୁଲ, ହାର, ବ୍ରେସଲେଟ୍ ଓ ହେୟାର କ୍ଲିପ୍ ଆଦି ତିଆରି ହେଉଛି। ଏଠାରେ ସମ୍ବଲପୁରୀ କପଡ଼ା ଅନୁଯାୟୀ ମ୍ୟାଚିଙ୍ଗ୍ କାନଫୁଲ ସହ ନେକ୍ଲେସ୍ ମିଳୁଛି।
ପୋଷାକ ସିଲେଇ କଲାବେଳେ ବଳିଯାଉଥିବା ଟୁକୁରା କନାକୁ ନଷ୍ଟ ନକରି
ତାକୁ ମଧ୍ୟ ଉପଯୋଗ କରିବା ଧାରା ଆରମ୍ଭ ହୋଇଛି।
ଭଳିକି ଭଳି ରଙ୍ଗକୁ ଡିଜାଇନ୍ର ସ୍ବତନ୍ତ୍ରତା ଝିଅମାନଙ୍କୁ ବେଶ୍ ସୁହାଉଛି। ଏନେଇ ସମ୍ବଲଶ୍ରୀ ଫେସନ୍ର ତତ୍ତ୍ବାବଧାରକ ପ୍ରମୋଦ ମହାପାତ୍ର କହନ୍ତି, ରଙ୍ଗ ଓ ସ୍ଥାୟିତ୍ବ ପରି ବୈଶିଷ୍ଟ୍ୟ ସମ୍ବଲପୁରୀ ବସ୍ତ୍ରକୁ ଅନ୍ୟ ହସ୍ତତନ୍ତଠାରୁ ଅଲଗା ପରିଚୟ ଦେଇଛି। ସମ୍ବଲପୁରୀ ପୋଷାକକୁ ସୁହାଇଲା ଭଳି ସମ୍ବଲପୁରୀ କପଡ଼ାରେ ଏହି ଗହଣା ତିଆରି କରିବା ଆରମ୍ଭ କରିଛୁ। ଗତ ନୂଆଁଖାଇଠାରୁ ଏହି ଶୁଭାରମ୍ଭ କରାଯାଇଛି। ଏହାର ମୂଲ୍ୟ ମଧ୍ୟ ବହୁତ କମ୍ ରଖାଯାଇଛି। ଛୋଟ କାନଫୁଲର ଦାମ୍ ୮୦ଟଙ୍କାରୁ ୧୨୦ଟଙ୍କା ରହିଥିବାବେଳେ ହାର ଓ କାନଫୁଲ ସେଟ୍ର ଦାମ୍ ୩୫୦ ଟଙ୍କାରୁ ୫୦୦ଟଙ୍କା ଭିତରେ ରହିଛି। ଏହା ଅତି ହାଲୁକା, ପକେଟ୍ ଫ୍ରେଣ୍ଡ୍ଲି ଓ ଇକୋ ଫ୍ରେଣ୍ଡ୍ଲି ହୋଇପାରିଛି। ସାଧାରଣତଃ ଅଧିକ ଓଜନଦାର କାନଫୁଲ ପିନ୍ଧିବା ଯୋଗୁ କାନ ଓହଳିଯାଇ ଏହା ଉପରେ ଚାପ ପଡ଼ିଥାଏ ଓ ସଂକ୍ରମଣ ମଧ୍ୟ ହୋଇଥାଏ। କିନ୍ତୁ ଏହି ଗହଣା ହାଲୁକା ଏବଂ ଚର୍ମରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ଦେଖା ନ ଯାଉଥିବାରୁ ମହିଳାଙ୍କୁ ବେଶ୍ ପସନ୍ଦ ଆସୁଛି। ପୂରା ଦେଶରେ ଅନ୍ଲାଇନ୍ ଡେଲିଭରିର ସୁବିଧା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।