ଭିଟାମାଟି ଛାଡ଼ି ରୋଜଗାର ପାଇଁ ଯାଇଥିଲେ ସୁରଟ, ଏବେ ଗାଁକୁ ଫେରିଛି ମରଶରୀର

ହିଞ୍ଜିଳିକାଟୁ: ପରିବାର ଲୋକଙ୍କ ପେଟରେ ଦାନା ଯୋଗାଇବା ପାଇଁ ଦାଦନ ଖଟି ଯାଇଥିଲା ପୁଅ । ସୁଦୂର ସୁରଟରେ ରହି କାମ କରୁଥିଲା ଆଉ ଘରକୁ ଟଙ୍କା ପଠାଉଥିଲା । କିନ୍ତୁ ଏବେ ପୁଅର ମରଶରୀର ଗାଁକୁ ଫେରିଛି । ପରିବାର ପ୍ରତିପୋଷଣ ପାଇଁ ସୁରଟକୁ ଦାଦନ ଶ୍ରମିକ ଭାବେ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁଲାଗଡ଼ ପଞ୍ଚାୟତ ବାଦଗଡ଼ ଗାଁର ବିନୋଦ ବେହେରା । ସୁରଟର ଆମରୋଲିରେ ଏକ କାରଖାନାରେ କାର୍ଯ୍ୟ କରୁଥିଲେ ବିନୋଦ । ପ୍ରତିଦିନ ପରି ରାତିରେ କାର୍ଯ୍ୟ କ୍ଷେତ୍ରରୁ ଘରକୁ ଆସିବା ବେଳେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ିଥିଲେ । ଖବର ପାଇ ସମ୍ପର୍କୀୟମାନେ ବିନୋଦଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗତ ୩ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ଆଉ ଏବେ ତାଙ୍କ ମରଶରୀର ଜନ୍ମମାଟିକୁ ଫେରିଛି । ସାହି ଭାଇମାନେ କାନ୍ଧ ଦେବାକୁ ଗାଁରେ ପହଞ୍ଚିଛନ୍ତି । ଗାଁ ସାରା ଲୋକଙ୍କ ଆଖିରେ ଲୁହ ।
ଦୁର୍ଘଟଣା କିପରି ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ଧରି ସମ୍ପର୍କୀୟମାନେ ଗାଁରେ ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବିନୋଦଙ୍କ ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ମୃତକ ବିନୋଦଙ୍କ ଗୋଟିଏ ଛୋଟ ପୁଅ ଓ ଝିଅ ଅଛନ୍ତି । ମୃତକ ପରିବାରକୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବା ପାଇଁ ସମ୍ପର୍କୀୟମାନେ ନିବେଦନ କରିଛନ୍ତି।
ଭିଟାମାଟି ଛାଡ଼ି ରାଜ୍ୟ ବାହାରକୁ ଦୁଇ ପଇସା ରୋଜଗାର ଆଶାରେ ଯାଇଥିଲେ ବିନୋଦ । କିନ୍ତୁ ତାଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ବାପ ଛେଉଣ୍ଡ ହୋଇଗଲେ ଦୁଇଟି ଛୁଆ । ଏବେ ତାଙ୍କ ପରିବାର ଚଳିବ କେମିତି ? ଯଦି ପ୍ରଶାସନ ତରଫରୁ ବିନୋଦଙ୍କ ପରିବାରକୁ ସାହାଯ୍ୟ ସହଯୋଗ ମିଳେ ତେବେ ତାଙ୍କ ଦୁଃଖ ଅଳ୍ପ ବହୁତେ ଦୂର ହେବ ନିଶ୍ଚିତ ।