ମନମୋହନଙ୍କ ରେକର୍ଡ ସମକକ୍ଷ ହେବେ ମୋଦୀ: ଆଜି ଲାଲ୍କିଲ୍ଲାରେ ୧୦ମ ଥର ଜାତୀୟ ପତାକା ଉତ୍ତୋଳନ କରିବେ – Utkal Mail
ନୂଆଦିଲ୍ଲୀ: ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଦ୍ବାରା ଲାଲ୍କିଲ୍ଲାରେ ଲଗାତାର ୧୦ ଥର ତ୍ରିରଙ୍ଗା ଉତ୍ତୋଳନ କରିବାରେ ତାଙ୍କର ପୂର୍ବସୂରି ମନମୋହନ ସିଂହଙ୍କ ରେକର୍ଡର ସମକକ୍ଷ ସେ ହେବ। ଏଥିସହ ତୃତୀୟ ସର୍ବାଧିକ ଥର ଜାତୀୟ ପତାକା ଉତ୍ତୋଳନ କରିବାରେ ମଧ୍ୟ ସେ ମନମୋହନଙ୍କ ସହ ସମାନ ହେବେ।
ଏ ପର୍ଯ୍ୟନ୍ତ ଭାରତ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି। ସେମାନଙ୍କ ମଧ୍ୟରୁ ୧୩ ଜଣ ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦୁଇଜଣ ପ୍ରଧାନମନ୍ତ୍ରୀ ଗୁଲଜରିଲାଲ ନନ୍ଦା ଓ ଚନ୍ଦ୍ରଶେଖର ଲାଲକିଲ୍ଲାରୁ ପତାକା ଉଡ଼ାଇବା ସୁଯୋଗ ପାଇ ନାହାନ୍ତି। ୧୯୪୭ ଅଗଷ୍ଟ ୧୫ରୁ ମେ ୨୭, ୧୯୬୪ରେ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସର୍ବାଧିକ ୧୭ ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦ୍ବିତୀୟ ସର୍ବାଧିକ ୧୬ ଥର ତ୍ରିରଙ୍ଗା ଉଡ଼ାଇଛନ୍ତି ତାଙ୍କ ଝିଅ ଇନ୍ଦିରା ଗାନ୍ଧି। ତୃତୀୟ ସର୍ବାଧିକ ୧୦ ଥର ଜାତୀୟ ପତାକା ଉଡ଼ାଇଛନ୍ତି ମନମୋହନ ସିଂହ। ପ୍ରଧାନମନ୍ତ୍ରୀ ମୋଦୀ ଏବେ ମନମୋହନଙ୍କ ରେକର୍ଡର ସମକକ୍ଷ ହେବାକୁ ଯାଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧି ଓ ପିଭି ନରସିଂହ ରାଓ ପ୍ରତ୍ୟେକେ ୫ ଥର, ଲାଲ ବାହାଦୁର ଶାସ୍ତ୍ରୀ ଓ ମୋରାରଜୀ ଦେଶାଇ ପ୍ରତ୍ୟେକେ ୨ ଥର ଏବଂ ଚରଣସିଂହ, ଭିପି ସିଂହ, ଏଚ୍ଡି ଦେବେଗୌଡ଼ା ଓ ଆଇକେ ଗୁଜରାଲ ପ୍ରତ୍ୟେକେ ଥରେ ଲେଖାଏ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।