ଦେଶ ବିଦେଶ

ଇଡି ସ୍କାନରରେ ସନ୍ଦୀପ ଘୋଷ, ଆଜି ୪ଟି ସ୍ଥାନରେ ରେଡ୍‌

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥିକ ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଇଡି ସ୍କାନରରେ। ଇଡି ପକ୍ଷରୁ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ସମୁଦାୟ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରୁ ଦୁଇଟି ସ୍ଥାନ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି।

ଏହାବାଦ ଜଣେ ମେଡିକାଲ ଉପକରଣ ବିକ୍ରେତାଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରାଯାଇଛି।

ସନ୍ଦୀପ ଘୋଷଙ୍କ ନାଁରେ ପୂର୍ବରୁ ହସ୍ପିଟାଲରେ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଇଡି ବିଭିନ୍ନ ସ୍ଥାନରେ ରେଡ କରି ସାରିଥିବା ବେଳେ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ୪ ଜାଗାରେ ରେଡ କରିଛି।

ଡା. ସନ୍ଦୀପ ଘୋଷ ୨୦୨୧ ମସିହା ଫେବୃୟାରୀରୁ ୨୦୨୩ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଆରଜି କର ହସ୍ପିଟାଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ବର୍ଷ ଅକ୍ଟୋବରରେ ତାଙ୍କର ବଦଳି ହୋଇଥିଲା। ମାତ୍ର ସେ ପୁଣି ମାସେ ମଧ୍ୟରେ ଆରଜି ହସ୍ପିଟାଲକୁ ଫେରି ଆସିଥିଲେ। ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲା ପର୍ଯ୍ୟନ୍ତ ସେ ନିଜ ପଦରେ ରହିଥିଲେ।

ମାତ୍ର ଏହାପରେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦର ସ୍ୱର ଉଠିଥିଲା। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ୨ ତାରିଖରେ ସିବିଆଇ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା। ଘଟଣାର ଦୁଇ ଦିନ ପରେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ।

କିନ୍ତୁ ପଶ୍ଚିମବଙ୍ଗ ସରକାର ତୁରନ୍ତ କଲିକତା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଡାକ୍ତର ଶିକ୍ଷାର୍ଥୀମାନେ ବିରୋଧ କରିଥିବା ବେଳେ କଲିକତା ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିଯୋଗୁ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା।

ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ କୋଲକାତା ପୁଲିସ୍ ଅଗଷ୍ଟ ୨୦ରେ ତାଙ୍କ ବିରୋଧରେ ମାମଲା କରିଥିଲା। ଏହାର ତଦନ୍ତ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button