ପରୀକ୍ଷା ସମୟରେ ଡିଜେ ସାଉଣ୍ଡ ଓ ଯାତ୍ରାକୁ ନେଇ ଚିନ୍ତାରେ ଅଭିଭାବକ, କାର୍ଯ୍ୟନୁଷ୍ଠାନ ପାଇଁ ଉଠିଛି ଦାବି

ପରୀକ୍ଷା ସମୟରେ ଅସହ୍ୟ କରୁଛି ଡିଜେ ସାଉଣ୍ଡ । ଡିଜେ ସାଉଣ୍ଡ ଓ ଯାତ୍ରାକୁ ନେଇ ଚିନ୍ତାରେ ଅଭିଭାବକ । ଗାଁ କି ସହର ଡିଜେର ଭୀଷଣ ଶବ୍ଦରେ ପ୍ରଭାବିତ ହେଉଛନ୍ତି ବାଲେଶ୍ବର ବାସିନ୍ଦା । ଖାଲି ସେତିକି ନୁହଁ ରାତି ୧୦ଟା ପରେ ମଧ୍ୟ ଯାହା ସବୁ ନିଷେଧ ତାହା କେବଳ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଡିଜେର ସାଉଣ୍ଡ ୬୫ ଡେସିବଲରୁ କମ ଶବ୍ଦରେ ବାଜିବାର ନିୟମ ରହିଛି । କିନ୍ତୁ ଡିଜେ ମାଲିକମାନେ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । କିଏ ସରକାରୀ ଚାକିରି ଲାଗି ତ ଆଉ କିଏ ମାଟ୍ରିକ କିମ୍ବା ଯୁକ୍ତଦୁଇ ଏବଂ ସ୍ନାତକ ପରୀକ୍ଷା ଦେବା ଲାଗି ଜୋରଦାର ପ୍ରସ୍ତୁତ ଚଳାଉଛନ୍ତି । କିନ୍ତୁ ଡିଜେର ଉଚ୍ଚ ଶବ୍ଦ ସେମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ସବୁଠାରୁ ବଡ଼ କଥା ହେଲା ବାଲେଶ୍ବର ଜିଲ୍ଲାର ସାଉଡୁ ନିକଟରେ ଥିବା ମାଟ୍ରିକ ପରୀକ୍ଷା ସେଣ୍ଟର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ନିକଟରେ ଏକ ଯାତ୍ରା ପାର୍ଟିକୁ ଅନୁମତି ଦେବା ଚିନ୍ତାଜନକ ବିଷୟ । ତେବେ ପରୀକ୍ଷା ସମୟରେ କିଏ ଏବଂ କେଉଁ ଆଇନ୍ ବଳରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରା ପାର୍ଟିକୁ ଅନୁମତି ଦେଲା ସେନେଇ କେହି ମଧ୍ୟ ଉତ୍ତର ଦେଇ ପାରୁନାହାନ୍ତି । କେବଳ ପାର୍ବଣ ସମୟରେ ପ୍ରଶାସନ ସାଉଣ୍ଡ ଓ ଲାଇଟକୁ ନେଇ ବିଭିନ୍ନ କଟକଣା ଲଗାଉ ଥିବା ବେଳେ ଏବେ ଯାତ୍ରା ଓ ଡିଜେ ଶବ୍ଦ ଲୋକଙ୍କ ଚିନ୍ତା ବଢ଼ାଇଛି । ମେଡିକାଲ ନିକଟ ଓ ସହରର ଗଳି ଦେଇ ବରଯାତ୍ରୀ ଯାଉଥିବା ବେଳେ ବରିଷ୍ଠ ନାଗରିକମାନେ ଅନେକାଂଶରେ ପ୍ରଭାବିତ ହେଉଛନ୍ତି ।
ଖାଲି ସେତିକି ନୁହଁ । ଏଭଳି ଘଟଣା ବାଲେଶ୍ବର ସହରରେ ପ୍ରତିଦିନ ଦେଖିବାକୁ ମିଳୁଛି । ରାସ୍ତାରେ ପ୍ରଚଣ୍ଡ ଶବ୍ଦ କରି ବରଯାତ୍ରୀ ଯାଉଥିବାବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଅକାରଣରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କେବେ କଡ଼ା କାର୍ଯ୍ୟନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।



