ଦିଲ୍ଲୀ: ୧୦୧ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ୧୦୧ ବର୍ଷ ମଧ୍ୟରେ ଡିସେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା। ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବୃଷ୍ଟିପାତ (୭୫.୭ ମିଲିମିଟର) ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ରେକର୍ଡ କରାଯାଇଥିଲା। ଜାତୀୟ ରାଜଧାନୀର ଆଖପାଖ ଅଞ୍ଚଳରେ ମଧ୍ୟ ଶନିବାର ବର୍ଷା ହେବା ଫଳରେ ତାପମାତ୍ରା ୧୩ ଡିଗ୍ରି ତଳକୁ ଖସି ଆସିଛି। ବର୍ଷା ମଧ୍ୟରେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ‘ମଧ୍ୟମ’ ଶ୍ରେଣୀରେ ରହିଛି ଏବଂ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୧୭୯ ରହିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସପ୍ତାହାନ୍ତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ହାଲୁକା ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ୨୦୨୪ ଡିସେମ୍ବରରେ ଦିଲ୍ଲୀରେ ୪୨.୮ ମିଲିମିଟର ବର୍ଷା ହୋଇଥିଲା, ଯାହା କି ଗତ ୨୭ ବର୍ଷ ମଧ୍ୟରେ ସର୍ବାଧିକ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସକ୍ରିୟ ପଶ୍ଚିମା ବିକ୍ଷୋଭ ଓ ପୂବେଇ ପବନ ସହ ଏହାର ପ୍ରତିକ୍ରିୟା ଯୋଗୁଁ ଦିଲ୍ଲୀର ସାଟେଲାଇଟ୍ ସହର ନଏଡା, ଗୁରୁଗ୍ରାମ ଓ ଫରିଦାବାଦ ସମେତ ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେଉଛି। ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ସ୍ଥାନ ଜଳବନ୍ଦୀ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।



