ଦେଶ ବିଦେଶ

ରାଜନୀତି ତେଜିଲା ସରକାରଙ୍କୁ ଘେରିଲେ: ମହାକୁମ୍ଭକୁ ନେଇ ଲାଲୁଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁଁ ଗତରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ଏବଂ ଏଥିରେ ୧୮ ଜଣଙ୍କ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ ଏହା ସମ୍ବେଦନହୀନ କାର୍ଯ୍ୟ ଏବଂ ମହାକୁମ୍ଭକୁ ନେଇ ସବୁସ୍ତରରେ ଖରାପ ପରିଚାଳନା ଲୋକଙ୍କ ପାଇଁ ବଡ଼  ସମସ୍ୟା ସୃଷ୍ଟି କରିଛି। ଏହାର ଜବାବରେ ବିଜେପି କହିଛି ଯେ ବିରୋଧୀ ଦଳମାନେ ରାଜନୈତିକ ସ୍ବାର୍ଥ ଛାଡ଼ି ଏଭଳି ମାମଲାରେ ଦାୟିତ୍ବପୂର୍ଣ୍ଣ ଆଚରଣ ଦେଖାଇବାକୁ ଉଚିତ। ବିରୋଧୀ ଦଳ ନେତାମାନେ ଅଭ୍ୟାସଗତ ଭାବେ ଏଭଳି ରାଜନୈତିକ ବୟାନ ଦେବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକ ଲୋକଙ୍କୁ ମୃତ୍ୟୁ ଘଟିବା ଏବଂ  ଆହତ ହେବା ଦୁଃଖଦାୟକ। ପ୍ରୟାଗରାଜ ଯାଉଥିବା ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଉନ୍ନତ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି। ଏହି ଘଟଣା ରେଳବାଇର ବିଫଳତା ଏବଂ ସରକାରଙ୍କ ସମ୍ବେଦହୀନତାକୁ ପୁଣି ଥରେ ଦର୍ଶାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିବା ସହ ମୃତ୍ୟୁସଂଖ୍ୟାକୁ ନେଇ କେନ୍ଦ୍ର ସରକାର ସତ ଲୁଚାଉଥିବା ଅଭିଯୋଗ କରିଛନ୍ତି। ଏହ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button