ଜେଲ୍ ଫେରନ୍ତା ଯୁବକର ପୁଣି ଉନ୍ମତ୍ତକାଣ୍ଡ, ଭୁଜାଲି ଧରି ସିଧା ବିଦ୍ୟାଳୟ ଭିତରେ

ଯାଜପୁର: ଗତକିଛି ଦିନ ତଳେ ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ସମୟରେ ଜଣେ ଯୁବକ ଶ୍ରେଣୀ ଗୃହରେ ପଶି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ରଧାନଶିକ୍ଷୟତ୍ରୀଙ୍କୁ ମାଡ଼ ମାରିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ପ୍ରଧାନଶିକ୍ଷୟତ୍ରୀ ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ । ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ଯୁବକ ଜଣକ ଜେଲରୁ ମୁକୁଳିବା ପରେ ପୁନଶ୍ଚ ସ୍କୁଲ ପରିସରକୁ ଯାଇ ଉନ୍ମତ୍ତକାଣ୍ଡ ଘଟାଇଛି । ଫଳରେ ବାଧ୍ୟ ହୋଇ ପୁଣି ଅଭିଭାବକ ଓ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ମୁତାବକ, ଗତ ୧୨ତାରିଖରେ ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମରେ ଥିବା ଚୋରମୁହାଁ ପ୍ରକଳ୍ପ ଉ:ପ୍ରା ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ସମୟରେ ଏହି ଗ୍ରାମର ୩୫ବର୍ଷିୟ ପ୍ରଶାନ୍ତ ମହାନ୍ତି ଓରଫ ଶଙ୍କରା ନାମକ ଯୁବକ ଶ୍ରେଣୀ ଗୃହ ମଧ୍ୟକୁ ପ୍ରବେଶ କରି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଯାହାର ଭିଡିଓ ଭାଇରାଲ ହେବା ସହ ଏଥିରେ ଛାତ୍ରୀଙ୍କୁ ଆଇ ଲଭ ୟୁ କହୁଥିବା ଶୁଣିବାକୁ ମିଳିଥିଲା । ଘଟଣା ଦିନ ପ୍ରଧାନଶିକ୍ଷୟତ୍ରୀ ରୁନାମଣି ଗୋଚ୍ଛାୟତ ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କୁ ଗୋଇଠା ମାରିବା ସହିତ ଗାଳିଗୁଲଜ କରିଥିଲା ।
ତେବେ ପୂର୍ବରୁ ମଧ୍ୟ ଏହି ଯୁବକ ଜଣଙ୍କ ଏହିଭଳି କାଣ୍ଡ ଭିଆଇ ଥିବା ଶ୍ରୀମତୀ ଗୋଚ୍ଛାୟତ ତାଙ୍କ ଏତଲାରେ ଦର୍ଶାଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ସମ୍ପୃକ୍ତ ଯୁବକ ଜେଲରୁ ମୁକୁଳିବା ପରେ ପୁଣି ହାତରେଏକ ଭୁଜାଲି ଧରି ବିଦ୍ୟାଳୟ ଭିତରକୁ ପୁନଶ୍ଚ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଗେଟରେ ତାଲା ପଡ଼ିଥିବାରୁ ବିଦ୍ୟାଳୟ ପଛ ପଟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।
ଏନେଇ ଖବର ପାଇବା ପରେ ଅଭିଭାବକ ଓ ଗ୍ରାମବାସୀ ପହଂଚିବା ପରେ ସେଠାରୁ ସମ୍ପୃକ୍ତ ଯୁବକ ଖସି ପଳାଇଥିଲା । ଏହା ପରେ ପଞ୍ଚାୟତର ନାଏବ ସରପଞ୍ଚ ପ୍ରମିଳା ମହାନ୍ତିଙ୍କ ନେତୃତ୍ୱରେ ଅଭିଭାବକ ଓ ଗ୍ରାମବାସୀ ଧର୍ମଶାଳା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବକ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶୃଙ୍ଖଳିତ ଭାବେ ବିଦ୍ୟାଳୟ କିପରି ଚାଲିପାରିବ ସେ ନେଇ ବ୍ୟବସ୍ଥା କରିବାକୁ ଅଭିଯୋଗରେ ଦର୍ଶାଇଛନ୍ତି ।
କେତେବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗୋଇଠା ମାଡ ତ କେତେବେଳେ ଭୁଜାଲି ଧରି ବିଦ୍ୟାଳୟ ବିଦ୍ୟାଳୟ ଭିତରେ ଆତଙ୍କରାଜ । ଶୈକ୍ଷିକ ବାତାବରଣରେ ବାରମ୍ବାର ଏଭଳି ଘଟଣା ପିଲାଙ୍କ ଉପରେ ପଡିବ କି ପ୍ରଭାବ? ତେବେ ଏଭଳି ଘଟଣାକୁ ସଭିଏଁ ନନ୍ଦା କରିବା ସହ ଉକ୍ତ ଯୁବକଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।