ବିବାଦୀୟ ବୟାନ ମହଙ୍ଗା ପଡ଼ିଲା: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରଵାଲଙ୍କ ଇସ୍ତଫା

ଡେରାଡୁନ୍: ଉତ୍ତରାଖଣ୍ଡର ସଂସଦୀୟ ବ୍ୟାପାର ଏବଂ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରଵାଲ ବିଧାନସଭାରେ ବିବାଦୀୟ ମନ୍ତବ୍ୟ ପାଇଁ ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ସେ କାନ୍ଦି ପକାଇଥିଲେ। ସେ କହିଛନ୍ତି ଯେ ଏବେ ତାଙ୍କୁ ଟାର୍ଗେଟ କରାଯାଉଛି ଏବଂ ତାଙ୍କ ବିରୋଧରେ ଷଡ୍ଯନ୍ତ୍ର ହେଉଛି।
ତେବେ ରାଜ୍ୟକୁ ଆଗକୁ ନେବା ପାଇଁ ଯଥାସମ୍ଭବ ଯୋଗଦାନ କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ନିକଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଗ୍ରୱାଲ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ କଂଗ୍ରେସ ବିଧାୟକ ମଦନ ବିଷ୍ଟଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇ କହିଥିଲେ ଯେ ଆମେ କ’ଣ ଏହି ଦିନ ପାଇଁ ରାଜ୍ୟ ଗଠନ ଆନ୍ଦୋଳନ କରିଥିଲୁ ଏବଂ କ’ଣ କେବଳ ପାହାଡ଼ବାସୀଙ୍କ ପାଇଁ ରାଜ୍ୟ ତିଆରି ହୋଇଛି? ଏହି ସମୟରେ ତାଙ୍କ ପାଟିରୁ ଏକ ଅପମାନଜନକ ଶବ୍ଦ ମଧ୍ୟ ବାହାରିଥିଲା। ମନ୍ତ୍ରୀଙ୍କ ଏହି ବୟାନ ଯୋଗୁଁ ରାଜ୍ୟର ରାଜନୈତିକ ମହଲ ସରଗରମ ହୋଇଥିଲା ଏବଂ ପାହାଡ଼ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ଦାବିରେ କଂଗ୍ରେସ ଓ ଅନ୍ୟ କେତେକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।



