ଆଇଏସ୍ଏସ୍ରେ ପହଞ୍ଚିଲେ କ୍ରୁ-୧୦ ସଦସ୍ୟ: ୧୯ରେ ପୃଥିବୀକୁ ଫେରିପାରନ୍ତି ସୁନୀତା ୱିଲିୟମ୍ସ

ୱାସିଂଟନ: ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲ୍ମୋରଙ୍କ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ଏ ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ନାସାର କ୍ରୁ-୧୦ ସଦସ୍ୟମାନେ ରବିବାର ସକାଳେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ସଫଳତାର ସହ ପହଞ୍ଚିଛନ୍ତି। ସ୍ପେସ୍ ଏକ୍ସର ମହାକାଶଯାନରେ ଉତ୍କ୍ଷେପଣ କରାଯାଇଥିବା ଡ୍ରାଗନ୍ କ୍ୟାପ୍ସୁଲରେ ଯାଇଥିବା ୪ ଜଣ ସଦସ୍ୟ ଭାରତୀୟ ସମୟ ସକାଳ ପ୍ରାୟ ୯ଟା ୪୦ ମିନିଟରେ ଆଇଏସ୍ଏସ୍ରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏଲନ୍ ମସ୍କଙ୍କ ମହାକାଶ ଏଜେନ୍ସି ସ୍ପେସ୍ ଏକ୍ସର ରକେଟ୍ ଫାଲ୍କନ୍-୯ ଶୁକ୍ରବାର ଭାରତୀୟ ସମୟ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଉତ୍କ୍ଷେପଣ କରାଯାଇଥିଲା। ଆମେରିକାର ମହାକାଶ ଏଜେନ୍ସି ନାସା ଏହାକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରିଥିଲା।
ଏଥିରେ ଯାଇଥିବା ୪ ଜଣିଆ ଟିମ୍ ସୁରକ୍ଷିତ ଭାବେ ଆଇଏସ୍ଏସ୍ରେ ପ୍ରବେଶ କରିବା ସହ ସୁନିତା ଏବଂ ତାଙ୍କ ସାଥୀ ବୁଚ୍ ୱିଲ୍ମୋରଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସଂପାଦନ ହୋଇଛି। ସବୁକିଛି ସୁରୁଖୁରୁରେ ଚାଲିଲେ ମାର୍ଚ୍ଚ ୧୯ରେ ଯେ କୌଣସି ସମୟରେ କ୍ରୁ-୯ ମିସନ୍ ସଦସ୍ୟ ପୃଥିବୀକୁ ଫେରିବେ। ସୂଚନାଯୋଗ୍ୟ, ୯ ମାସ ଧରି ସେମାନେ ଆଇଏସ୍ଏସ୍ରେ ଫସି ରହିଛନ୍ତି। ସେମାନଙ୍କ ମହାକାଶ ଯାନରେ ବୈଷୟିକ ତ୍ରୁଟି ଥିବାରୁ ଠିକ୍ ସମୟରେ ତାହା ପ୍ରତ୍ୟାବର୍ତ୍ତନ ହୋଇପାରିନଥିଲା।
ଆଇଏସ୍ଏସ୍କୁ ଯାଇଥିବା ନୂଆ ସଦସ୍ୟଙ୍କ ମଧ୍ୟରେ ନାସାର ଆନ୍ ମ୍ୟାକ୍ଲେନ ଓ ନିକୋଲ ଆୟର୍ସ, ଜାପାନର ମହାକାଶ ଏଜେନ୍ସି ଜାକ୍ସାର ତାକୁୟା ଓନିସି ଏବଂ ରୁଷିଆର ମହାକାଶ ଏଜେନ୍ସି ରସ୍କସ୍ମସ୍ର ମହାକାଶଚାରୀ କିରିଲ୍ ପେସ୍କୋଭ୍ ରହିଛନ୍ତି। ସୁନୀତା ୱିଲିୟମ୍ସ, ବୁଚ୍ ୱିଲ୍ମୋର ଏବଂ କ୍ରୁ-୯ର ଅନ୍ୟ ଦୁଇ ଜଣ ସଦସ୍ୟଙ୍କ ସ୍ଥାନ ନେବାକୁ ଏହି ୪ ଜଣ ମହାକାଶଚାରୀ ସେମାନଙ୍କ ଦାୟିତ୍ବ ନେଇ ବିଭିନ୍ନ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି। କ୍ରୁ-୧୦ ମହାକାଶଯାନ ସଫଳତାର ସହ ଆଇଏସ୍ଏସ୍ରେ ଅବତରଣ ହେବା ଏବଂ ନୂଆ ଟିମ୍ ଆଇଏସ୍ଏସ୍ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଏହାକୁ ନେଇ ନାସା ଆଶ୍ବସ୍ତି ପ୍ରକାଶ କରିଛି।