ଅୟଶକାନ୍ତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ, ପୁଅର ପାଠପଢ଼ାର ସମସ୍ତ ଦାୟିତ୍ବ ନେବାକୁ ପ୍ରତିଶ୍ରୁତି ଦେଲେ ଡ. ସାମନ୍ତ

ଭୁବନେଶ୍ୱର : ଅୟଶକାନ୍ତ ସ୍ବାଇଁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ କିଟ୍, କିସ୍ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଜଣେ କଳାକାର ଏବଂ ମଣିଷ ଭାବେ ଅୟଶକାନ୍ତଙ୍କୁ ଡ.ସାମନ୍ତ ଖୁବ୍ ଶ୍ରଦ୍ଧା କରୁଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଅୟଶଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ସାମନ୍ତ । ଏହା ସହିତ ତାଙ୍କ ପତ୍ନୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଏବଂ ପୁଅର ପାଠପଢ଼ାର ସମସ୍ତ ଦାୟିତ୍ବ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
କରୋନା ଜେଜେ କଳାକାର ଅୟଶକାନ୍ତ ସ୍ବାଇଁଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁଅ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ତାଙ୍କର ପରିବାରବର୍ଗ, କଳିଙ୍ଗ ଟିଭି ପରିବାରର ସଦସ୍ୟ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏବଂ ଅନେକ ସାଥୀ କଳାକାର ଉପସ୍ଥିତ ଥିଲେ ।
ଗତକାଲି ସନ୍ଧ୍ୟାରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟର ଠାରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ରିହର୍ସାଲ କରିବା ସମୟରେ ସେହି ମଞ୍ଚ ଉପରେ ଟଳି ପଡ଼ିଥିଲେ ଅୟଶକାନ୍ତ । ହୃଦଘାତରେ ତାଙ୍କର ଦେହନ୍ତ ହୋଇଥିଲା । କରୋନା ଜେଜ ଓ କଣ୍ଡୁରୀ ଜେଜ ଭାବେ କଳିଙ୍ଗ ଟିଭିର କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଆୟଶକାନ୍ତ ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ମଧ୍ୟ ପୁରସ୍କୃତ ହୋଇଥିଲେ ।