କଂଗ୍ରେସ ସାଂସଦ ଇମ୍ରାନ୍ ପ୍ରତାପଗଡ଼ୀଙ୍କ ବିରୋଧରେ ଏତଲା ରଦ୍ଦ: ‘ବାକ୍ ସ୍ୱାଧୀନତା ସଭ୍ୟ ସମାଜର ଅବିଚ୍ଛେଦ୍ୟ ଅଙ୍ଗ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅପ୍ଲୋଡ୍ କରାଯାଇଥିବା ଏକ କବିତାକୁ ନେଇ ଗୁଜରାଟରେ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ୀଙ୍କ ବିରୋଧରେ ଦାଏର ହୋଇଥିବା ଏଫ୍ଆଇଆର୍କୁ ରଦ୍ଦ କରି ଆଜି ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ସୁସ୍ଥ ସଭ୍ୟ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଗୁଜରାଟ ପୁଲିସ ବିରୋଧରେ କଡ଼ା ମନ୍ତବ୍ୟ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଅପରାଧକୁ ‘ଅସୁରକ୍ଷିତ ଲୋକ’ଙ୍କ ମାପଦଣ୍ଡ ଦ୍ୱାରା ବିଚାର କରାଯାଇପାରିବ ନାହିଁ, ଯେଉଁମାନେ ସବୁକିଛିକୁ ବିପଦ କିମ୍ବା ସମାଲୋଚନା ଭାବରେ ଦେଖନ୍ତି। ଚିନ୍ତାଧାରା ଓ ମତର ମୁକ୍ତ ଅଭିବ୍ୟକ୍ତି ଏକ ସୁସ୍ଥ ସଭ୍ୟ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଏହା ବିନା ସମ୍ବିଧାନର ଧାରା ୨୧ ଅନୁଯାୟୀ ସମ୍ମାନଜନକ ଜୀବନ ଯାପନ କରିବା ଅସମ୍ଭବ। କବିତା, ନାଟକ, କଳା, ବ୍ୟଙ୍ଗ ସମେତ ସାହିତ୍ୟ ଜୀବନକୁ ସମୃଦ୍ଧ କରିଥାଏ ବୋଲି ଜଷ୍ଟିସ୍ ଏଏସ୍ ଓକା ଓ ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଅଦାଲତ ଆହୁରି କହିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ପରେ ଆମେ କେବଳ କବିତା ପାଠ କରିବା କିମ୍ବା ଷ୍ଟାଣ୍ଡଅପ୍ କମେଡି ଭଳି କଳା କିମ୍ବା ମନୋରଞ୍ଜନର କୌଣସି ରୂପ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା କିମ୍ବା ଘୃଣା ସୃଷ୍ଟି କରିଥାଏ ବୋଲି ବିଚାର କରିବା ଠିକ୍ ନୁହେଁ। ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଦେଶଦ୍ରୋହୀ କହି ମାନହାନି ମାମଲାର ସମ୍ମୁଖୀନ ହୋଇଥିବା ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ବିରୋଧରେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଏହି ରାୟ ଗୁରୁତ୍ୱପୂର୍ଣ୍ଣ। ଗୁଜରାଟ ହାଇକୋର୍ଟ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମନା କରିଥିବାରୁ ତାଙ୍କୁ ସମାଲୋଚନା କରି ଖଣ୍ଡପୀଠ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଅଦାଲତ ଓ ପୁଲିସକୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟର କଂଗ୍ରେସ ସାଂସଦ ପ୍ରତାପଗଡ଼ୀ ସୋସିଆଲ ମିଡିଆରେ ଏକ କବିତା ସେୟାର କରିଥିବା ବେଳେ ପୃଷ୍ଠଭୂମିରେ ‘ଏ ଖୁନ୍ କେ ପ୍ୟାସେ ବାତ୍ ସୁନୋ’ ଗୀତ ବାଜିଥିଲା। ଏହା ବିଜେପିଶାସିତ ସରକାରଙ୍କୁ କଡ଼ା ସମାଲୋଚନା ବୋଲି କୁହାଯାଉଥିଲା। ଜାନୁଆରି ୧୭ରେ ଗୁଜରାଟ ହାଇକୋର୍ଟ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମନା କରିଦେଇଥିଲେ। ଜାନୁଆରିରେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କବିତା ଧର୍ମବିରୋଧୀ କିମ୍ବା ଦେଶବିରୋଧୀ ନୁହେଁ ଏବଂ ପୁଲିସ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ବୁଝିବା ଉଚିତ।