ଦେଶ ବିଦେଶ

ମ୍ୟାମାର ଭୂମିକମ୍ପ: ଜୀବିତଙ୍କୁ ଠାବ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ପରବର୍ତ୍ତୀ ଝଟ୍‌କା ଉଦ୍ଧାରରେ ବାଧକ ସାଜୁଛି

ନେପିଦା: ମ୍ୟାମାରରେ  ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି ଏବଂ ଆଜି ମୃତ୍ୟୁସଂଖ୍ୟା ୧୭୦୦ ଅତିକ୍ରମ କରିଛି।   ପଡ଼ୋଶୀ ଥାଇଲାଣ୍ଡରେ ଆଉ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଗ୍ନାବଶେଷ ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ସବୁ ଶକ୍ତି ଲଗାଇ ଦେଇଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ କୋଠା, ପୋଲ ଓ ରାସ୍ତା ଭୁଶୁଡ଼ି ପଡ଼ିବା ସହ ଧ୍ୱଂସର ମାତ୍ରା ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭୂକମ୍ପ ପରବର୍ତ୍ତୀ କମ୍ପନ ମଧ୍ୟ ଦାଉ ସାଧୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବା ଅନେକ କୋଠା ଭୁଶୁଡ଼ି ପଡ଼ିଛି।  ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଏବଂ ରାସ୍ତା ଧସିଯିବା ଯୋଗୁଁ ଅନେକ ସ୍ଥାନରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବାରେ ବିଳମ୍ବ ହେଉଛି।

ଆଜି ମ୍ୟାମାରର  ନ୍ୟାସନାଲ ୟୁନିଟି ଗଭର୍ଣ୍ଣମେଣ୍ଟ (ଏନୟୁଜି) ଦେଶରେ ଚାଲିଥିବା ଗୃହଯୁଦ୍ଧର  ଆଂଶିକ ଅସ୍ତ୍ରବିରତି ଘୋଷଣା କରିଛି। ଅନ୍ତର୍ଜାତୀୟ ସହାୟତା ବିତରଣ ଓ ଉଦ୍ଧାର ଅଭିଯାନ ପାଇଁ ଏଭଳି ନି‌ଷ୍ପତ୍ତି ନିଆଯାଇଥିବା ସେନା କହିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ମଣ୍ଡାଲେର ବାସିନ୍ଦାମାନେ ଧ୍ବଂସସ୍ତୂପ ଭିତରୁ ଜୀବିତ ଲୋକଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି।   ସମୟ ଗଡ଼ି ଯାଉଥିବାରୁ ଫସିଥିବା ଲୋକଙ୍କୁ ଯଥାସମ୍ଭବ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଛି। ୧.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ  ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି। ଭାରତ, ଚୀନ୍‌ ଏବଂ ରୁଷିଆ ସହାୟତାରେ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଶାସକ ସାମରିକ ମେଣ୍ଟ  ଆଜି ବିଭିନ୍ନ ପଦକ୍ଷେପ ‌ଗ୍ରହଣ କରିଛି। ସୂଚନାଯୋଗ୍ୟ, ଭୂକମ୍ପ ପୂର୍ବରୁ ମ୍ୟାମାର ଗୃହଯୁଦ୍ଧ ଯୋଗୁଁ ୩.୫ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଦେଶରେ ଖାଦ୍ୟାଭାବ ଅତି ଭୟାନକ ରୂପ ନେଇଥି‌ଲା।

ବିନାଶକାରୀ ଭୂକମ୍ପ ଭିତରେ ବିମାନ ଆକ୍ରମଣ, ଜାତିସଂଘର ଉଦ୍‌ବେଗ

ୟାଙ୍ଗୁନ; ମ୍ୟାମାରରେ ହୋଇଥିବା ଭୂକମ୍ପ ବିପର୍ଯ୍ୟୟରେ ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇବା ପରେ ବି  ସାମରିକ ସରକାର ଯୁଦ୍ଧଗ୍ରସ୍ତ ଦେଶର କିଛି ଅଂଶରେ ବୋମା ମାଡ଼ ଜାରି ରଖିଛି।  ଜାତିସଂଘ ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ମାନବତାବିରୋଧୀ ଏବଂ ଅଗ୍ରହଣୀୟ ବୋଲି କହିଛି। ଭୂମିକମ୍ପ ପରେ ଗୋଟିଏ ପଟେ ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ରୋହୀ ଗୋଷ୍ଠୀ ଏବଂ ସେମାନଙ୍କ ନିୟନ୍ତ୍ରଣରେ ଥିବା ଗ୍ରାମଗୁଡ଼ିକ ଉପରେ ବୋମାମାଡ଼ ହୋଇଛି। ଏଭଳି ଅମାନବୀୟ କାର୍ଯ୍ୟକୁ ପ୍ରବଳ ବିରୋଧ କରାଯିବା ପରେ ଆଜି   ଅସ୍ତ୍ରବିରତି ଘୋଷଣା କରାଯାଇଛି। ପାଖାପାଖି ୪ ବର୍ଷ ପୂର୍ବେ ଏକ ବିଦ୍ରୋହ ଦ୍ବାରା ସେନା କ୍ଷମତା ଦଖଲ କରିଥିଲା  ଏବଂ ଏହା ପରଠାରୁ ସାମରିକ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ଦମନ କରାଯାଉଛି।  ଉତ୍ତର ଶାନ୍ ରାଜ୍ୟର ନୌଙ୍ଗଚୋରେ ଗତକାଲି ହୋଇଥିବା ବିମାନ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।   ସେନାକୁ କ୍ଷମତାରୁ ହଟାଇବା ପାଇଁ ଲଢୁଥିବା ଗଣତନ୍ତ୍ର ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ସାଗାଇଙ୍ଗ ଅଞ୍ଚଳର ଚାଙ୍ଗ-ୟୁ ଟାଉନସିପ୍‌ରେ ବିମାନ ଆକ୍ରମଣ ଜାରି ରହିଛି। ଥାଇଲାଣ୍ଡ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button