ଓଡିଶା

ଓଡ଼ିଶା ପାଇଁ ଖୁସି ଖବର: ରାଜ୍ୟକୁ ମିଳିବ ଖଣି ରୟାଲଟି, କୋର୍ଟ ଦେଇଦେଲେ ବଡ଼ ରାୟ

ଖଣି ଓ ଖଣିଜ ସମ୍ପଦ ଭରା ରାଜ୍ୟଗୁଡ଼ିକ ପାଇଁ ଖୁସି ଖବର । ଖଣି କଂମ୍ପାନି ବା ଲିଜଧାରୀଙ୍କଠାରୁ ରାଜ୍ୟ ସରକାରମାନେ ସେମାନଙ୍କ ରୟାଲ୍‌ଟି ଆଦାୟ କରିପାରିବେ । ୨୦୦୫ ଏପ୍ରିଲ ପହିଲାଠାରୁ ଏହି ରୟାଲ୍‌ଟି ଆଦାୟ କରିପାରିବେ । ଆଉ ୧୨ ବର୍ଷ ମଧ୍ୟରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ବକେୟା ରୟାଲ୍‌ଟି ସମ୍ପୂର୍ଣ୍ଣ ମିଳିବ । ତେବେ ରୟାଲ୍‌ଟି ଉପରେ ଅନ୍ୟ କୌଣସି ପ୍ରକାର ଜରିମାନା ଲାଗୁ କରାଯାଇ ପାରିବ ନାହିଁ । ନିଜ ରାଜ୍ୟରେ ଥିବା ଖଣି ଓ ଖଣିଜ ସମ୍ପଦ ଉପରେ ରୟାଲ୍‌ଟି ଲାଗୁ କରିବାର ଅଧିକାର ରାଜ୍ୟ ସରକାରମାନଙ୍କ ସମ୍ପୂର୍ଣ୍ଣ ଅଧିକାର ବୋଲି ଗତ ଜୁଲାଇ ୨୫ ତାରିଖ ରାୟରେ ସ୍ପଷ୍ଟ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାର ୯ ଜଣିଆ ବୃହତ ଖଣ୍ଡପୀଠ । ଜଷ୍ଟିସ୍ ବି. ଭି. ନାଗରତ୍ନାଙ୍କୁ ଛାଡ଼ିଦେଲେ ୮:୧ରେ ଆସିଥିଲା ଜୁଲାଇ ୨୫ ତାରିଖର ରାୟ । ଆଉ ବୁଧବାର ନିର୍ଦ୍ଦେଶନାମାରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୮ ଜଣ ବିଚାରପତି ଦସ୍ତଖତ କରିଥିବା ବେଳେ କେବଳ ଜଷ୍ଟିସ୍ ନାଗରତ୍ନା ଦସ୍ତଖତ କରିନାହାନ୍ତି ।

ଏହା ପୂର୍ବର ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ ଯେ, ଉତ୍ତୋଳିତ ଖଣିଜ ପଦାର୍ଥ ଉପରେ ଦିଆଯାଉଥିବା ରୟାଲଟି ଟିକସ ନୁହେଁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଅନ୍ୟ ୭ ଜଣ ବିଚାରପତିଙ୍କ ସହ ବହୁମତ ସାବ୍ୟସ୍ତ ହୋଇଥିବାବେଳେ ଜଷ୍ଟିସ୍ ବି.ଭି ନାଗରତ୍ନା ଏଥିରେ ଅସହମତି ପ୍ରକାଶ କରିଥିଲେ….ଏବଂ ଏହା ବିରୋଧରେ ରାୟ ଦେଇଥିଲେ…ଜଷ୍ଟିସ ନାଗରତ୍ନା ତାଙ୍କ ରାୟ ଶୁଣାଇ କହିଥିଲେ ଯେ, ଖଣି ଏବଂ ଖଣିଜ ସମ୍ପଦ ଜମି ଉପରେ ଟିକସ ଲାଗୁ କରିବାକୁ ରାଜ୍ୟମାନଙ୍କର ଆଇନଗତ ଦକ୍ଷତା ନାହିଁ। ସେ କହିଥିଲେ, ଖଣିଜ ପଦାର୍ଥ ଉପରେ ଦିଆଯାଉଥିବା ରୟାଲଟି ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ଅଧିନିୟମ, ୧୯୫୭ ଅନୁଯାୟୀ ଏକ ଟିକସ…ନା ଏହି ପୁନରୁଦ୍ଧାର ପାଇଁ କେବଳ କେନ୍ଦ୍ରର କ୍ଷମତା ଅଛି, ନା ରାଜ୍ୟଗୁଡ଼ିକର ମଧ୍ୟ ଅଧିକାର ଅଛି ? ତଥାପି, ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ରାୟ କାର୍ଯ୍ୟକାରୀ ହୋଇ ପାରିନଥିଲା ।

ବୁଧବାର ରୟାଲ୍‌ଟି ଆଦାୟକୁ ନେଇ ବଡ଼ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ତେବେ ୧୯୮୯ରୁ ବକେୟା ରୟାଲ୍‌ଟି ପାଇଁ ରାଜ୍ୟ ସରକାରମାନେ ଦାବି କରିଥିଲେ । କିନ୍ତୁ କେନ୍ଦ୍ର ସରକାର ସେଥିରେ ରାଜି ହୋଇ ନଥିଲେ । ଏମିତି ହେଲେ ପବ୍ଲିକ୍ ସେକ୍ଟର କମ୍ପାନିଗୁଡ଼ିକ ୭୦ ହଜାର କୋଟି ଟଙ୍କା କ୍ଷତି ସହିବେ ଏବଂ ସେମାନଙ୍କ ପୁଞ୍ଜି ସଫା ହୋଇଯିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ ଖଣିଜ ସମ୍ପଦଭରା ଓଡ଼ିଶା. ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟକୁ ଆର୍ଥିକ ଫାଇଦା ଦେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button