ପାକ୍ ସେନା କବ୍ଜାରେ ବିଏସ୍ଏଫ୍ ଯବାନ: ଭୁଲ୍ରେ ପଂଜାବ ସୀମା ଅତିକ୍ରମ କରିଥିଲେ

ନୂଆଦିଲ୍ଲୀ: ଜଣେ ବିଏସଏଫ୍ (ସୀମା ସୁରକ୍ଷା ବଳ) ଯବାନ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ଅଟକ ରହିଛନ୍ତି। ଭୁଲ୍ରେ ସେ ପଂଜାବରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଯିବାରୁ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଧରି ନେଇଛନ୍ତି। ତେବେ ଯବାନଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଉଭୟ ରାଷ୍ଟ୍ରର ସେନା ମଧ୍ୟରେ ଏକ ଫ୍ଲାଗ୍ ବୈଠକ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଏହି ଘଟଣା ଘଟିଛି। ପାକ୍ ରେଞ୍ଜର୍ସ ଦ୍ବାରା ଅଟକ ରହିଥିବା ବିଏସ୍ଏଫ୍ ଯବାନଙ୍କ ନାମ ପିକେ ସିଂହ। ସେ ୧୮୨ ବାଟାଲିୟନ୍ର।
ୟୁନିଫର୍ମରେ ଥିବା ସହ ସେ ହାତରେ ସର୍ଭିସ୍ ରାଇଫଲ୍ ଧରିଥିଲେ। ଫିରୋଜପୁର ନିକଟରେ ସେ ସ୍ଥାନୀୟ କୃଷକଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ ଏବଂ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିଲେ। ସେ ହେଉଛନ୍ତି ବିଏସ୍ଏଫ୍ର କିଷାନ ଗାର୍ଡ ୟୁନିଟ୍ର ଜଣେ ସଦସ୍ୟ। ଜିରୋ ଲାଇନ୍ରେ ଚାଷ କରୁଥିବା ଭାରତୀୟ କୃଷକଙ୍କୁ ସୁରକ୍ଷା ଦେବା ଏବଂ ସହଯୋଗ କରିବାପାଇଁ ସେମାନେ ମୁତୟନ ହୋଇଥାନ୍ତି। ଫିରୋଜପୁର ସେକ୍ଟରରେ ସେ ରୁଟିନ୍ ପାଟ୍ରୋଲ୍ ପାଇଁ ମୁତୟନ ହୋଇଥିଲେ। ବୁଧବାର ମଧ୍ୟାହ୍ନ ୧୨ଟାରେ ଏହି ଘଟଣା ଘଟିଛି।



