କମ ସମୟରେ ସଫଳତା ପାଇଥିବା ରାନୁଙ୍କର ଫ୍ୟାନ୍ସ ସହ ଦୁର୍ବ୍ୟବହାର, ସେଲ୍ଫି ମାଗିବାରୁ କହିଲେ ଏମିତି…

ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଲ ଏବେ ପୁରା ଦେଶରେ ଚର୍ଚ୍ଚିତ ଅଛନ୍ତି । ରେଳ ଷ୍ଟେସନରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଗୋଟେ ପରେ ଗୋଟେ ଗୀତ ଗାଇବାର ଅଫର ମିଳୁଛି । ରାନୁଙ୍କ ଜୀବନୀକୁ ନେଇ ଏବେ ଏକ ଫିଲ୍ମ ତିଆରି ହେଉଥିବା ବେଳେ ଏଇ ସଫଳତା ପରେ ତାଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥିବା ଏକ ଭିଡିଓରୁ ଜଣା ପଡ଼ିଛି ।
ଯାହା ଏବେ ଭାଇରାଲ ହେବାରେ ଲାଗିଛି , ଲୋକେ ରାନୁଙ୍କ ଏହିଭଳି ବ୍ୟବହାରକୁ ନାପସନ୍ଦ କରୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ରାନୁ କିଛି ଜିନିଷ କିଣୁଥିବାର ନଜର ଆସୁଛନ୍ତି । ସେହି ସମୟରେ ଜଣେ ମହିଳା ଆସି ପଛପଟୁ ତାଙ୍କ ହାତରେ ହାତ ମାରି ଡ଼ାକିବା ସହ ସେଲ୍ଫି ଉଠେଇବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେଲ୍ଫି ଉଠେଇବା ପରିବର୍ତ୍ତେ ରାନୁ ମହିଳାଙ୍କ ଉପରେ ରାଗି ଯାଉଥିବା ଦେଖାଯାଉଛି ।
ଭିଡିଓରେ, ମହିଳା ଯେମିତି ହାତ ଛୁଇଁ ଡାକିଥିଲେ, ତାହାର ନକଲ ସେ କରି ଏହାର ଅର୍ଥ କ’ଣ? ବୋଲି ପଚାରୁଛନ୍ତି ରାନୁ । ରାନୁଙ୍କର ଏଭଳି ବ୍ୟବାହାରକୁ ଦେଖି ସେଲ୍ଫି ମାଗୁଥିବା ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରାନୁଙ୍କର ଏଭଳି ବ୍ୟବହାର ତାଙ୍କ ପ୍ରଶଂସକଙ୍କୁ ବହୁତ ନିରାଶ କରିଛି । କମ ସମୟରେ ଅଧିକ ସଫଳତା ମିଳିଯାଇ ଥିବାରୁ ତାଙ୍କର ଅହଙ୍କାର ବଢ଼ିଯାଇଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।



