କରୋନା

ଚିନ୍ତା ବଢ଼ାଉଛି କରୋନା: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, କେରଳରେ ସବାଧିକ ୧୩୩୬ ମାମଲା

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମଣ ପୁଣି  ଦ୍ରୁତ ଗତିରେ ବଢ଼ିଚାଲିଛି। ଏବେ କରୋନାର ସକ୍ରିୟ ମାମଲା ୩ ହଜାର ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ପାଇଁ ଗୁରୁତ୍ବାରୋପ କରାଯାଇଛି।  କେରଳରେ ସର୍ବାଧିକ ୧୩୩୬ ଜଣ ସଂକ୍ରମିତ ହୋଇଛନ୍ତି।  ମହାରାଷ୍ଟ୍ରରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ(୪୬୭) ରହିଥିବା ବେଳେ  ଏହା ପଛକୁ ରାଜଧାନୀ ଦିଲ୍ଲୀ(୩୭୫)  ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି  ଏବଂ କୋଭିଡ୍-୧୯ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସଂକ୍ରମଣର ତୀବ୍ରତା କମ୍ ଥିବାରୁ ଅଧିକାଂଶ ରୋଗୀଙ୍କୁ ଘରେ ହିଁ ଯତ୍ନ ନିଆଯାଉଛି ଏବଂ ଚିନ୍ତା କରିବାର ବିଶେଷ କାରଣ  ନାହିଁ ବୋଲି କୁହାଯାଇଛି।

ମେ ୨୨ରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ଥିଲା। ମେ ୨୬ ସୁଦ୍ଧା ଏହି ସଂଖ୍ୟା ୧୦୧୦କୁ ବୃଦ୍ଧି ପାଇଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା  ୩୩୯୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୬୮୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।  ଗୁଜରାଟରେ ୨୬୫ ସକ୍ରିୟ ମାମଲା ରହିଥିବା ବେଳେ କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡ଼ୁରେ ୧୮୫ ଏବଂ ଉତ୍ତରପ୍ରଦେଶରେ ୧୧୭ ଜଣ ସଂକ୍ରମିତ ହୋଇଛନ୍ତି। ସଦ୍ୟତମ ଆଇସିଏମ୍‌ଆର୍‌ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନର ପ୍ରଜାତି ଲକ୍ଷଣହୀନ ଏବଂ ଅଧିକାଂଶ ମାମଲା ସାମାନ୍ୟ। କରୋନା ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ  କେନ୍ଦ୍ର ସରକାର କୌଣସି ଗାଇଡ୍‌ଲାଇନ ଜାରି କରିନଥିଲେ ମଧ୍ୟ ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ କୁହାଯାଇଛି। ରାଜ୍ୟ ସରକାରମାନେ  ଆବଶ୍ୟକ ସତର୍କତା ଅବଲମ୍ବନ କରୁଛନ୍ତି ।  ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ ସୋମବାର କହିଛନ୍ତି,  ପଶ୍ଚିମ ଓ ଦକ୍ଷିଣ ଭାରତର ନମୁନାର ଜିନୋମ ସିକ୍ୱେନ୍ସିଂରୁ ଜଣାପଡିଛି ଯେ ନୂତନ ପ୍ରଜାତି ଗୁରୁତର ନୁହେଁ ଏବଂ ଏହା ଓମିକ୍ରନ୍‌ର ସବ୍-ଭାରିଏଣ୍ଟ। ସେ କହିଛନ୍ତି,  ଓମିକ୍ରନ୍‌ରେ ୪ଟି ସବ୍ ଭାରିଆଣ୍ଟ ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଏବଂ ଏନବି ୧.୮.୧ ରହିଛି ଏବଂ  ପ୍ରଥମ ତିନୋଟି ଭାରିଆଣ୍ଟର ମାମଲା ଅଧିକ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button