ଦେଶ ବିଦେଶ

ରୁଷ୍‌କୁ ଆଉ ଏକ ଝଟ୍‌କା: କ୍ରିମିଆ ବ୍ରିଜ୍‌ରେ ଶକ୍ତିଶାଳୀ ବିସ୍ଫୋରଣ

ମସ୍କୋ: ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ ମଙ୍ଗଳବାର ଆଉ ଏକ ବଡ଼ ଅପରେସନରେ କ୍ରିମିଆ ବ୍ରିଜ୍‌ ଉପରେ ତୃତୀୟ ଥର ପାଇଁ ଭୟାନକ ଆକ୍ରମଣ କରିଛି। ଏଥର ସେମାନେ ବ୍ରିଜ୍‌ର ଜଳମଗ୍ନ ବେସ୍ ଅର୍ଥାତ୍ ପାଣି ଭିତରେ ୧୧୦୦ କେଜି ଟିଏନ୍‌ଟି ବିସ୍ଫୋରକ ବ୍ୟବହାର କରି ପ୍ରଚଣ୍ଡ ବିସ୍ଫୋରଣ କରିଛନ୍ତି। ଏହି ଶକ୍ତିଶାଳୀ ବିସ୍ଫୋରଣ ସେତୁର ଢାଞ୍ଚାକୁ ଦୋହଲାଇ ଦେଇଛି। ସାମରିକ ପରିବହନ ପାଇଁ ରୁଷ୍‌ ନିମନ୍ତେ ଅତି ଗୁରୁତ୍ବପୂର୍ଣ୍ଣ ଏହି ବ୍ରିଜ୍‌ରେ ଏଭଳି ଆକ୍ରମଣ ରୁଷ୍‌ ପାଇଁ ଆଉ ଏକ ଝଟ୍‌କା ହୋଇଛି। ସ୍ଥାନୀୟ ସମୟ ଭୋର୍‌ ୪ଟା ୪୪ ମିନିଟ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ଏହି ନିର୍ଦ୍ଦିଷ୍ଟ ଅପରେସନ୍‌ ପାଇଁ ୟୁକ୍ରେନ୍‌ର ସାମରିକ ଗୁଇନ୍ଦା ସଂସ୍ଥା ଅନେକ ମାସ ଧରି ଯୋଜନା କରିଥିଲା। କ୍ରିମିଆ ପୋଲର ଜଳମଗ୍ନ ଖୁଣ୍ଟକୁ ଟାର୍ଗେଟ କରି ପୋଲର ଭିତ୍ତିଭୂମିକୁ ଦୁର୍ବଳ କରିବା ପାଇଁ ଏହି ଆକ୍ରମଣ କରାଯାଇଥିଲା।

ସୂଚନାଯୋଗ୍ୟ, କ୍ରିମିଆନ୍ ବ୍ରିଜ୍‌କୁ କେର୍ଚ ବ୍ରିଜ୍ ମଧ୍ୟ କୁହାଯାଏ ଏବଂ ଏହା ରୁଷ୍‌ ଏବଂ କ୍ରିମିଆକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ-ରେଳ ସେତୁ ଅଟେ। ୨୦୧୪ରେ ରୁଷ୍‌ କ୍ରିମିଆକୁ ଅକ୍ତିଆର କରିବା ପରେ ଏହାକୁ ନିର୍ମାଣ କରାଯାଇଥିଲା ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ପ୍ରମୁଖ ପ୍ରକଳ୍ପ ଭାବରେ ଏହାକୁ ବିବେଚନା କରାଯାଏ। ୟୁକ୍ରେନ୍‌କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ଯୋଗାଣ ଏହି ପୋଲ୍‌ ଦେଇ ହିଁ ହୋଇଥାଏ। କ୍ରିମିଆ ବ୍ରିଜ୍‌ ଉପରେ ପୂର୍ବରୁ ୨୦୨୨ ଅକ୍ଟୋବର ୮ ତାରିଖରେ ଏକ ଟ୍ରକ୍ ବିସ୍ଫୋରଣ ହେବାଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ୨୦୨୩ ଜୁଲାଇରେ ପୁଣି ଥରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଦୁଇଟି ପୋଲର କିଛି ଅଂଶ ନଷ୍ଟ ହୋଇଯାଇଥିଲା। ଦ୍ବିତୀୟ ଆକ୍ରମଣ ଡ୍ରୋନ୍‌ ଦ୍ବାରା କରାଯାଇବା ବେଳେ ଆଜି ତୃତୀୟ ଆକ୍ରମଣ ପାଣି ଭିତରେ ବ୍ରିଜ୍‌କୁ ଟାର୍ଗେଟ୍‌ କରି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button