ବଢୁଛି କୋଭିଡ ସଂକ୍ରମଣ: ରାଜ୍ୟରେ ୩୮ଟି ପଜିଟିଭ ଚିହ୍ନଟ, ଲକ୍ଷଣ ଥିଲେ ରଥଯାତ୍ରାକୁ ନଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବଢୁଛି କୋଭିଡ ସଂକ୍ରମଣ । ରାଜ୍ୟରେ ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅନ୍ୟ ମାନେ ଘରେ ଆଇସୋଲେସନରେ ଥିବା ଜଣାପଡ଼ିଛି । କୋଭିଡ ସଂକ୍ରମଣର ମୁକାବିଲା କରିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ ଜିଲ୍ଲା ସର୍ଭେଲାନ୍ସ ୟୁନିଟ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ILI ଏବଂ ସିଭିଅର ଆକ୍ୟୁଟ ରେସ୍ପିରେଟୋରୀ ଇଲନେସ-SARI ଉପରେ ନିବିଡ଼ ନଜର ରଖିଛନ୍ତି । ସମସ୍ତ SARI କେସ ଏବଂ ୫% ILI କେସ ପାଇଁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଜିଟିଭ SARI ନମୁନାଗୁଡ଼ିକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଛି ।
ସେପଟେ କୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ନଆସିବାକୁ ନିର୍ଦ୍ଦେଶାବଳି ଜାର କରିଛି ସ୍ବାସ୍ଥ୍ୟବିଭାଗ । ବୟସ୍କ, ଗୁରୁତର ଅସୁସ୍ଥ ଓ ଥଣ୍ଡା ଲକ୍ଷଣ ଥିଲେ ନ ଆସିବାକୁ ପରାମର୍ଶ ହୋଇଛି । ରଥ ଦେଖିବାକୁ ଯାଉଥିବା ଲୋକ କୋଭିଡ ନିୟମ ପାଳନ୍ତୁ । ମାସ୍କ ପିନ୍ଧିବା, ସ୍ବଚ୍ଛତା ଓ ପାନୀୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ପୁରୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ ।