ରାଜନୀତି ଯୋଗୁଁ କାନାଡା ଏପରି ଆରୋପ ଲଗାଇଛି, ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦିଆଯାଇନାହିଁ : ଭାରତ – Utkal Mail
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ପ୍ରସଙ୍ଗରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କାନାଡାରେ ଥିବା ଭାରତର ଭିସା ଆବେଦନ କେନ୍ଦ୍ର ଭିସା ସେବାକୁ ସ୍ଥଗିତ ରଖିଛି ବୈଦେଶିକ ମନ୍ତ୍ରାଳୟ ।
ଏହି ବିବାଦ ଭିତରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଅଭିଯୋଗ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବାଗଚୀ କହିଛନ୍ତି, କାନାଡାରେ ଥିବା ହାଇ କମିଶନ ଓ ଦୂତାବାସ ସୁରକ୍ଷାକୁ ନେଇ ଚିନ୍ତିତ। ଧମକର ସମ୍ମୁଖୀନ ହେଉଛନ୍ତି। ଏହା ସେମାନଙ୍କ ସ୍ୱାଭାବିକ କାର୍ଯ୍ୟକୁ ପ୍ରଭାବିତ କରୁଛି। ତେଣୁ ହାଇ କମିଶନ ଓ କନସୁଲାର ଭିସା ଅସ୍ଥାୟୀ ଭାବେ ଭିସା ଆବେଦନ କରିପାରିବେ ନାହିଁ। ଏହାର ସମୀକ୍ଷା ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ଥିବା କାନାଡା ଦୂତାବାସ କର୍ମଚାରୀ ସଂଖ୍ୟା କମାଇବାକୁ କାନାଡା ସରକାରଙ୍କୁ କୁହାଯାଇଥିବା ସେ କହିଛନ୍ତି ।
ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାପଛରେ ଜଣେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦୁଇଦିନ ତଳେ ଦାବି କରିଥିଲେ। ଏହା ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା ଓ ତାହାର ଜବାବରେ ଭାରତ ବି ଜଣେ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା ।