Crane Fall: ରେଲୱେ ବିଦ୍ୟୁତ୍ ତାର ଉପରେ ଖସିପଡିଲା କ୍ରେନ୍, ୬ ଆହତ

ଆଜି ସକାଳେ ମୁମ୍ବାଇର କୁର୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । କୁରେଶୀ ନଗର ଅଞ୍ଚଳରେ MMRDAର ଏକ କ୍ରେନ ଭାରସାମ୍ୟ ହରାଇ ରେଳ ଲାଇନ୍ ଉପରେ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଉପରେ ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, କୁର୍ଲାର କୁରେଶୀ ନଗର ଅଞ୍ଚଳରେ MMRDA ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେହି ସମୟରେ କାମରେ ନିୟୋଜିତ ଥିବା ଏକ କ୍ରେନ୍ ହଠାତ୍ ଭାରସାମ୍ୟ ହରାଇଥିଲା । ଫଳରେ କ୍ରେନ୍ଟି ନିକଟରେ ଥିବା କୁର୍ଲା-ଟ୍ରୋମ୍ବେ ରେଳ ଲାଇନ୍ର ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍ ଉପରେ ପଡ଼ିଥିଲା । ଯାହାଦ୍ୱାରା ନିକଟରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏହି ଦୁର୍ଘଟଣାରେ ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । କିନ୍ତୁ ଏହି ଘଟଣା ପରେ ମଧ୍ୟ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି କରିଛି ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ସେହି ସ୍ଥାନରେ ଆଉ କେହି ଫସି ରହିଛନ୍ତି କି ନାହିଁ ସେନେଇ ଖୋଜାଖୋଜି ପ୍ରୟାସ ଜାରି ରହିଛି ।


