Achar Dangerous: ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ

ଭାତ ହେଉ କି ରୁଟି, ଖାଇବା ଥାଳିରେ ଟିକିଏ ଆଚାର ଥିଲେ ବଢ଼ିଯାଏ ଖାଦ୍ୟର ସ୍ୱାଦ । ଖଟା, ମିଠା ଆଉ ରାଗର ମିଶ୍ରଣ ଆଚାରକୁ କରିଥାଏ ସମସ୍ତଙ୍କ ପ୍ରିୟ । ହେଲେ ଏହି ସ୍ୱାଦିଷ୍ଟ ଆଚାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଯେ ବିପଦର କାରଣ ହୋଇପାରେ, ତାହା ଜାଣିଛନ୍ତି କି? ଅଧିକ ଲୁଣଯୁକ୍ତ ଆଚାରର ନିୟମିତ ସେବନ ଉଚ୍ଚ ରକ୍ତଚାପ ସହ ପାକସ୍ଥଳୀ କର୍କଟର ଆଶଙ୍କା ସହ ଜଡ଼ିତ ଥିବା ଗବେଷଣାରୁ ଜଣାପଡ଼ିଛି । ସେହିପରି ଆଚାର ସଂରକ୍ଷଣ ପାଇଁ ବ୍ୟବହୃତ ପ୍ଲାଷ୍ଟିକ୍ ପାତ୍ରକୁ ନେଇ ମଧ୍ୟ ଚିନ୍ତା ରହିଛି । ତେବେ ଆଚାର ଖାଇବା ସମୟରେ କେଉଁ ସବୁ ଦିଗ ପ୍ରତି ରହିବା ଆବଶ୍ୟକ ସତର୍କ? ଆସନ୍ତୁ ଜାଣିବା ।
ଭାରତୀୟ ଖାଦ୍ୟ ଥାଳିରେ ଆଚାରର ରହିଛି ସ୍ୱତନ୍ତ୍ର ସ୍ଥାନ । ପୂର୍ବରୁ ଘରେ ଘରେ ମା’, ଜେଜେମା’ ଓ ଆଇମାନେ ବିଭିନ୍ନ ପ୍ରକାରର ଖଟାମିଠା ଆଚାର ପ୍ରସ୍ତୁତ କରି କାଚ ବୋତଲ କିମ୍ବା ଚିନାମାଟି ପାତ୍ରରେ ସାଇତି ରଖୁଥିଲେ । କିନ୍ତୁ ଏବେ ବଜାରରେ ପ୍ଲାଷ୍ଟିକ୍ ପାତ୍ରରେ ଆଚାର ବିକ୍ରି ହେଉଥିବାରୁ ଏହାର ସୁରକ୍ଷିତ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠୁଛି । ଆଚାରରେ ସୋଡିୟମର ମାତ୍ରା ଅଧିକ ଥାଏ ଯାହା କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡ଼ିଛି । କର୍କଟ ରୋଗ ନିବାରକ କେନ୍ଦ୍ରର ଡାକ୍ତର ତରଙ୍ଗ କୃଷ୍ଣ କୁହନ୍ତି ଯଦି ଆଚାର ଭୁଲ୍ ପ୍ରକ୍ରିୟାରେ ସଂରକ୍ଷଣ କରାଯାଏ ତେବେ ତାହା କର୍କଟ ରୋଗର କାରଣ ହୋଇପାରେ ।
ଡାକ୍ତରଙ୍କ କହିବାନୁସାରେ ‘‘ପ୍ଲାଷ୍ଟିକ ବୋତଲରେ ଆଚାର ରଖିବା ଦ୍ବାରା କର୍କଟ ରୋଗର ଆଶଙ୍କା ବଢ଼ିଥାଏ । ଆଚାରରେ ଅଧିକ ପରିମାଣରେ ଲୁଣ, ତେଲ ଏବଂ ମସଲା ଥାଏ । ଯେତେବେଳେ ଏହା ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସେ ପ୍ଲାଷ୍ଟିକ୍ BPA ଏବଂ phthalates (ଫାଲେଟ୍ସ) ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼େ । ଏହି ରାସାୟନିକ ପଦାର୍ଥଗୁଡ଼ିକ ହେଉଛି ଏଣ୍ଡୋକ୍ଲାଇନ୍ ବିଭ୍ରାନ୍ତକାରୀ ଯାହା ଆପଣଙ୍କ ହରମୋନର ସନ୍ତୁଳନକୁ ବିଗାଡ଼ିଥାଏ । ଯଦି ଆପଣ ଅଧିକ ଦିନ ଧରି ପ୍ଲାଷ୍ଟିକ ପାତ୍ରରେ ରଖାଯାଇଥିବା ଆଚାର ଖାଆନ୍ତି ତେବେ ଏହା କର୍କଟ ରୋଗର କାରଣ ହୋଇପାରେ ।” ପ୍ଲାଷ୍ଟିକରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଆଚାରରେ ମିଶିଥାଏ ଯାହା ଦେହ ପାଇଁ କ୍ଷତିକାରକ । ଡାକ୍ତର କୁହନ୍ତି ଆଚାରକୁ ଯେକୌଣସି ଡବାରେ ରଖି ଭାବନ୍ତୁ ନାହିଁ ଯେ ଏହା ଶରୀର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ପ୍ଲାଷ୍ଟିକରେ ରଖାଯାଇଥିବା ଆଚାର କ୍ୟାନ୍ସରର କାରଣ ହୋଇପାରେ । ଡାକ୍ତର କାଚ ଏବଂ ସିରାମିକ୍ ପାତ୍ରରେ ଆଚାର ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥା’ନ୍ତି । ପୂର୍ବରୁ ଯେମିତି ଆଇ, ଜେଜେମା’ ଆଚାର ପାଇଁ କାଚ ଜାର୍ ବ୍ୟବହାର କରୁଥିଲେ ଠିକ୍ ସେମିତି କାଚ ବୋତଲ କିମ୍ବା ସେରାମିକ୍ ଜାରରେ ଆଚାର ରଖନ୍ତୁ । ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ରହିବ ।
ତେବେ ଅତ୍ୟଧିକ ଆଚାର ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ହେବାର ଆଶଙ୍କା ୫୦ % ବୃଦ୍ଧି ପାଏ । ଦକ୍ଷିଣ କୋରିଆବାସୀ ଆଚାର ଭଳି ଏକ ଖାଦ୍ୟପଦାର୍ଥ କିମଚିର ବହୁଳ ସେବନ କରିଥା’ନ୍ତି । ଯେଉଁଥିପାଇଁ ସେଠାରେ ପାକସ୍ଥଳୀ କର୍କଟ ରୋଗର ସର୍ବାଧିକ ଘଟଣା ଦେଖାଯାଏ । ତେଣୁ ଯଦି ସୁସ୍ଥ ଶରୀରର କାମନା କରୁଛନ୍ତି ତେବେ ପ୍ରତିଦିନ ଆଚାର ଖାଆନ୍ତୁ ନାହିଁ ଏବଂ ଆଚାର ରଖିବା ପାଇଁ ଉପଯୁକ୍ତ ପାତ୍ରର ବ୍ୟବହାର କରନ୍ତୁ ।
ତେଣୁ ଆଚାର ଖାଇବା ସମୟରେ ସତର୍କତା ରଖନ୍ତୁ । ପ୍ରତିଦିନ ଅଧିକ ପରିମାଣରେ ଆଚାର ଖାଇବା ପରିବର୍ତ୍ତେ ଏହାର ସେବନ ସୀମିତ ରଖନ୍ତୁ । ଆଚାରକୁ ସଫା ଓ ଶୁଖିଲା କାଚ କିମ୍ବା ଉପଯୁକ୍ତ ସେରାମିକ୍ ପାତ୍ରରେ ସଂରକ୍ଷଣ କରନ୍ତୁ । ସନ୍ତୁଳିତ ଖାଦ୍ୟ ଖାଇବା ସହ ଦୈନନ୍ଦିନ ଖାଦ୍ୟରେ ଲୁଣର ପରିମାଣ କମ୍ ରଖନ୍ତୁ । ମନେ ରଖନ୍ତୁ, ସ୍ୱାଦ ସହ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ସମାନ ଭାବେ ଜରୁରୀ ।



