ମନୋରଞ୍ଜନ

Shivaji Satam: ନାନା ପାଟେକରଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ACP ପ୍ରଦ୍ୟୁମ୍ନ, କହିଲେ ୪୦ ବର୍ଷର ବନ୍ଧୁତାର କାହାଣୀ

ବଲିଉଡ୍ ଅଭିନେତା ନାନା ପାଟେକର ଏବଂ ଲୋକପ୍ରିୟ ଟିଭି ସିରିଏଲ୍ CIDର ACP ପ୍ରଦ୍ୟୁମ୍ନ ଅର୍ଥାତ୍ ଅଭିନେତା ଶିବାଜୀ ସଟମ୍‌ଙ୍କ ବନ୍ଧୁତାର କାହାଣୀ ଏବେ ଚର୍ଚ୍ଚାରେ । ଦୀର୍ଘ ୪୦ ବର୍ଷର ବନ୍ଧୁତାକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିବାଜୀ । କେବଳ ହିନ୍ଦୀ ସିନେମାରେ ସୁଯୋଗ ଦେବା ନୁହେଁ, ବରଂ କଠିନ ସମୟରେ ଜଣେ ପ୍ରକୃତ ଭାଇ ଭଳି ତାଙ୍କ ପାଖରେ ଛିଡ଼ା ହୋଇଥିଲେ ନାନା। ଏପରିକି ଶିବାଜୀଙ୍କ ପତ୍ନୀଙ୍କ କର୍କଟ ଚିକିତ୍ସା ସମୟରେ ମଧ୍ୟ ସେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏକ ସ୍ମୃତିସଭାରେ ନାନାଙ୍କ ସହ ବିତାଇଥିବା ଅନେକ ଅଭୁଲା ମୁହୂର୍ତ୍ତକୁ ମନେ ପକାଇଛନ୍ତି ଶିବାଜୀ ସଟମ୍ ।

ମୁମ୍ବାଇର ପ୍ରଭାଦେବୀସ୍ଥିତ ପି.ଏଲ୍. ଦେଶପାଣ୍ଡେ ମହାରାଷ୍ଟ୍ର କଳା ଏକାଡେମୀ ପରିସରରେ ଆୟୋଜିତ ‘ଅଥୱାନିତାଲେ ନାନା’ ଶୀର୍ଷକ ସ୍ମୃତିସଭାରେ ଯୋଗ ଦେଇଥିଲେ ଶିବାଜୀ ସଟମ୍। ଏହି ଅବସରରେ ନାନା ପାଟେକରଙ୍କ ସହ ଦୀର୍ଘ ୪୦ ବର୍ଷର ବନ୍ଧୁତାକୁ ମନେ ପକାଇ ସେ ଭାବପ୍ରବଣ ହୋଇଯାଇଥିଲେ । ଶିବାଜୀ କହିଥିଲେ, ନାନାଙ୍କ ସହ ତାଙ୍କର ଅନେକ ସ୍ମୃତି ରହିଛି। ହିନ୍ଦୀ ସିନେମାରେ ନିଜର ପରିଚୟ ସୃଷ୍ଟି କରିବାର ସୁଯୋଗ ମଧ୍ୟ ତାଙ୍କୁ ନାନାଙ୍କ ପାଇଁ ମିଳିଥିଲା । ନିଜର ପ୍ରଥମ ହିନ୍ଦୀ ଫିଲ୍ମ ‘ଯଶୱନ୍ତ’ର ଅନୁଭୂତି ବଖାଣି ଶିବାଜୀ କହିଥିଲେ, ଫିଲ୍ମରେ ପୋଲିସ ଅଧିକାରୀଙ୍କ ଭୂମିକା ପାଇଁ ପ୍ରଯୋଜକ ତାଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ସେ ଏହି ଫିଲ୍ମ କରିବାକୁ ପ୍ରଥମେ ରାଜି ହୋଇନଥିଲେ । ନାନାଙ୍କ ପରାମର୍ଶ ଓ ବୁଝାଇବା ପରେ ଶେଷରେ ସେ ରାଜି ହୋଇଥିଲେ । ଫିଲ୍ମର ସୁଟିଂ ଶେଷ ହେବା ପରେ ପାରିଶ୍ରମିକ ବିଷୟରେ ଜାଣି ନାନା ରାଗିଯାଇଥିଲେ । ତାଙ୍କ ମତରେ, ଶିବାଜୀଙ୍କୁ ନିଜ ପାରିଶ୍ରମିକ ସମ୍ପର୍କରେ ପୂର୍ବରୁ ଆଲୋଚନା କରିବା ଉଚିତ ଥିଲା । ଏପରିକି ସେ ପ୍ରଯୋଜକଙ୍କୁ ଫୋନ୍ କରି ଶିବାଜୀଙ୍କ ପାଇଁ ଦୃଢ଼ ଭାବରେ କଥା ରଖିଥିଲେ ।

ଶିବାଜୀ ସଟମ୍‌ଙ୍କ ଜୀବନର ସବୁଠାରୁ କଠିନ ସମୟରେ ମଧ୍ୟ ନାନା ତାଙ୍କ ପାଖରେ ଛିଡ଼ା ହୋଇଥିଲେ । ‘ଗୁଲାମ-ଏ-ମୁସ୍ତଫା’ ଫିଲ୍ମର ସୁଟିଂ ସମୟରେ ଶିବାଜୀଙ୍କ ପତ୍ନୀଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ପରିବାରର ଏହି ସଙ୍କଟ ସମୟରେ ସେ ଫିଲ୍ମରେ କାମ କରିବା ଜାରି ରଖିବାକୁ ଅସମର୍ଥ ବୋଲି ନାନାଙ୍କୁ ଜଣାଇଥିଲେ । କିନ୍ତୁ ନାନା ତାଙ୍କୁ ହାର ମାନିବାକୁ ଦେଇନଥିଲେ । ସେ ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କ ସହ କଥା ହୋଇ ଶିବାଜୀଙ୍କ ପାଇଁ ସୁଟିଂ ସମୟରେ ସୁବିଧା କରାଇଥିଲେ । ଫଳରେ ସେ ପରିବାରର ଦାୟିତ୍ୱ ତୁଲାଇବା ସହ ଫିଲ୍ମର କାମ ମଧ୍ୟ କରିପାରିଥିଲେ । ଏହି ଘଟଣାକୁ ମନେ ପକାଇ ଶିବାଜୀ କହିଥିଲେ, ନାନା ତାଙ୍କ ପାଇଁ ଯାହା କରିଥିଲେ, ତାହା ହୁଏତ ତାଙ୍କ ନିଜ ଭାଇ ମଧ୍ୟ କରିପାରିନଥାନ୍ତେ । ନାନା କେବଳ ଜଣେ ବନ୍ଧୁ ନଥିଲେ, ବରଂ ଜଣେ ପ୍ରକୃତ ଭାଇ ଭଳି ତାଙ୍କୁ ସମର୍ଥନ କରିଥିଲେ ।

ବନ୍ଧୁତା ହେଉ କି କ୍ୟାରିୟର, ଅବା ଜୀବନର କଠିନ ପରିସ୍ଥିତି—ପ୍ରତ୍ୟେକ ସମୟରେ ନାନା ପାଟେକର ଶିବାଜୀ ସଟମ୍‌ଙ୍କ ପାଇଁ ଏକ ମଜବୁତ ସାହାରା ହୋଇ ରହିଥିଲେ । ନାନାଙ୍କ ଏହି ସ୍ନେହ, ସହଯୋଗ ଓ ବନ୍ଧୁତାକୁ ମନେ ପକାଇ ଆଜି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିବାଜୀ । ତାଙ୍କ କାହାଣୀ ପ୍ରମାଣ କରୁଛି, ପ୍ରକୃତ ବନ୍ଧୁ ସେହି, ଯିଏ କେବଳ ସଫଳତାରେ ନୁହେଁ, ବରଂ ଜୀବନର ସବୁଠାରୁ କଠିନ ସମୟରେ ମଧ୍ୟ ହାତ ଛାଡ଼େ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button