ସୁଖବୀର ସିଂହ ବାଦଲଙ୍କୁ ହତ୍ୟା ଉଦ୍ୟମ ମାମଲା: ପୂର୍ବତନ ଖଲିସ୍ତାନୀ ଆତଙ୍କବାଦୀ ନାରାୟଣ ସିଂହ ଚୌରା କିଏ?

ଅମୃତସର: ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ବାହାରେ ସେବାଦାର ଭାବେ କାର୍ଯ୍ୟରତ ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲଙ୍କୁ ଜଣେ ବ୍ୟକ୍ତି ଗୁଳି କରିଛନ୍ତି। ତେବେ ଗୁଳି ତାଙ୍କ ଦେହରେ ନ ବାଜି କାନ୍ଥରେ ବାଜିବାରୁ ହ୍ୱିଲଚେୟାରରେ ବସିଥିବା ସୁଖବୀର ସିଂହ ବାଦଲ ବର୍ତ୍ତି ଯାଇଥିଲେ। ନାରାୟଣ ସିଂହ ଚୌରା ନାମକ ଏହି ବ୍ୟକ୍ତିକୁ ପୁଲିସ ତତ୍କ୍ଷଣାତ କାବୁ କରିନେବାରୁ ବହୁତ ବଡ଼ ଅନର୍ଥ ଟଳିଯାଇଛି।
ନାରାୟଣ ସିଂହ ଚୌରା କିଏ?
ନାରାୟଣ ସିଂହ ଚୌରା ଜଣେ ପୂର୍ବତନ ଖଲିସ୍ତାନୀ ଆତଙ୍କବାଦୀ ଯିଏ କି ଅନେକ ମାମଲାର ସମ୍ମୁଖୀନ ହୋଇ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। କିଛି ବର୍ଷ ଧରି ପାନ୍ଥିକ ନେତା ଭାବେ ସକ୍ରିୟ ଥିବା ଚୌରା ଡେରା ବାବା ନାନକ ଅଞ୍ଚଳର ବାସିନ୍ଦା। ମଙ୍ଗଳବାର ସେ ଧଳା ରଙ୍ଗର କୁର୍ତା ଓ ପାଇଜାମା ପିନ୍ଧି ସୁଖବୀର ବାଦଲଙ୍କ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ନାରାୟଣ ଚୌରା ବୁରେଲ ଜେଲ୍ବ୍ରେକ୍ର ମାଷ୍ଟରମାଇଣ୍ଡ ଥିଲା। ସେ ବାବର ଖାଲସା ଇଣ୍ଟରନ୍ୟାସନାଲ ଆତଙ୍କବାଦୀ ଜଗତାର ସିଂହ ହାୱାରା ଓ ପରମଜିତ ସିଂହ ଭେଓରାଙ୍କ ସହ ସେମାନଙ୍କର ଦୁଇ ସହଯୋଗୀ ଜଗତାର ସିଂହ ତାରା ଓ ଦେବୀ ସିଂହକୁ ବୁରେଲ ଜେଲରୁ ଖସି ଯିବାରେ ସାହାଯ୍ୟ କରିଥିଲା।



