Subernarekha Flood: ସୁବର୍ଣ୍ଣରେଖାରେ କମୁଛି ପାଣି, ଟଳିନି ବନ୍ୟା ବିପଦ

ସୁବର୍ଣ୍ଣରେଖାରେ କମୁଛି ପାଣି, ହେଲେ ଟଳିନି ବନ୍ୟା ବିପଦ । ବାଲେଶ୍ୱର ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୮୦ ମିଟର ରହିଛି । ଏବେବି ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର ପ୍ରବାହିତ ହେଉଥିବାରୁ ଉତ୍ତର ବାଲେଶ୍ୱରରେ ବନ୍ୟା ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ସୁବର୍ଣ୍ଣରେଖାର ଦ୍ୱିତୀୟ ବନ୍ୟା ଯୋଗୁଁ ଭୋଗରାଇ ଓ ବାଲିଆପାଳରେ ନୂଆ ଅଞ୍ଚଳ ଜଳମଗ୍ନ ହୋଇଛି। ଭୋଗରାଇର ୨୮ଟି ପଞ୍ଚାୟତ ଏବଂ ବାଲିଆପାଳର ୨୦ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି । ଅନେକ ଗାଁରେ ବନ୍ୟା ପାଣି ପଶିଥିବା ବେଳେ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି ।
ବାଲେଶ୍ୱରରେ ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ବନ୍ୟାରେ ମୋଟ ୩୩୧ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟା ପାଣି ଯୋଗୁଁ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ମଧ୍ୟ ଜଳମଗ୍ନ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରେ NDRF, ODRAF, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସକୁ ନେଇ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ପ୍ରଶାସନ ୨୪ ଘଣ୍ଟିଆ ନଜର ରଖିଛି। SRCଙ୍କ ସୂଚନା ଅନୁସାରେ ରାଜ୍ୟର ସାମଗ୍ରିକ ବନ୍ୟା ସ୍ଥିତିରେ ସୁଧାର ଆସୁଛି। ଅଧିକାଂଶ ନଦୀର ଜଳସ୍ତର ହ୍ରାସ ପାଇଥିବା ବେଳେ ସୁବର୍ଣ୍ଣରେଖା ଏବେବି ଚିନ୍ତାର କାରଣ ହୋଇଛି । ପ୍ରଭାବିତ ଅଞ୍ଚଳରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିବାକୁ ଆହୁରି ପ୍ରାୟ ୩ ଦିନ ସମୟ ଲାଗିପାରେ । ଏପଟେ ଆଗାମୀ ୭୨ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। ପାଣି କମୁଥିଲେ ମଧ୍ୟ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ସମେତ ତଳିଆ ଅଞ୍ଚଳରେ ସ୍ଥିତି ଉପରେ ପ୍ରଶାସନର କଡ଼ା ନଜର ରହିଛି ।

