ସୁବର୍ଣ୍ଣପୁରର ସ୍ୱତନ୍ତ୍ର କୁମ କୁମ ପୂଜା, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଥାନ୍ତି ମହିଳା ବ୍ରତଧାରୀ

ସୁବର୍ଣ୍ଣପୁର ସହରରେ ଥିବା ଢେରାପଡା ଭିତର ରାସ୍ତାର ଦୁଇ କଡରେ ପୂଜା ସାମଗ୍ରୀ ଧରି ବସିଛନ୍ତି ମହିଳାମାନେ । ସେପଟେ ବ୍ରାହ୍ମଣ ଆସି ଜଣେ ପରେ ଜଣେ ମହିଳାଙ୍କ ହାତରେ ବ୍ରତ ବାନ୍ଧି ଦେଉଛନ୍ତି । ଏପଟେ ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ । ଆଉ ବ୍ରାହ୍ମଣଙ୍କ ନିର୍ଦ୍ଦେଶ ମୁତାବକ ମହିଳାମାନେ ଧରିଥିବା ପୂଜା ସାମଗ୍ରୀକୁ ନେଇ କରୁଛନ୍ତି ପୂଜା ବିଧି । ମହିଳାଙ୍କ ହୁଳହୁଳିରେ ଉଛୁଳି ପଡୁଛି ପଡା ସାହି । ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ସହରରେ ଥିବା ଢେରାପଡାର ।
ଆଉ ଏହି ପଡାରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳାଙ୍କ ସମେତ ସହରର ଅନ୍ୟ ମହିଳାମାନେ ମଧ୍ୟ ଏହି କୁମ କୁମ ପୂଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ସ୍ଥାନ । ସୋନପୁର ଗଡଯାତ ରାଜା ନିଳାଦ୍ରୀ ସିଂହଦେଓଙ୍କ ଅମଳରୁ ଢେରା ସମ୍ପ୍ରଦାୟର ଲୋକେ ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି । ବିଶ୍ଵାସ ରହିଛି ବ୍ରତଧାରୀ ମହିଳାମାନେ ମା’ଙ୍କ ପାଖରେ କୁମ କୁମ ପୂଜା କଲେ ସ୍ଵାମୀ ଦୀର୍ଘାୟୁ ହେବା ସହ ବର୍ଷ ତମାମ ପରିବାର ସୁଖ ଶାନ୍ତିରେ ଚାଲେ ।
ଏପରିକି ଅବିବାହିତ ମହିଳାମାନେ ଏହି ବ୍ରତ କଲେ ଭଲ ସ୍ଵାମୀଟିଏ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ହରଗୈାରୀ ଯାତ୍ରା ନଅ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଆଉ ଏହି ୯ ଦିନ ଭିତରେ ପାଳନ ହୁଏ କୁମ କୁମ ପୂଜା । ବ୍ରତଧାରୀ ମହିଳାମାନେ ପାନପତ୍ର, ହଳଦୀ, ସିନ୍ଦୁର, ଫୁଲ, ଫଳ, ପଇତା, ଅରୁଆ ଚାଉଳ, କଳସ ଓ ନଡିଆ ନେଇ ପୂଜାସ୍ଥଳିକୁ ଆସିଥାନ୍ତି ।
ପରମ୍ପରା ଅନୁସାରେ ପାରମ୍ପରିକ ଚିତା, ରୀତିନୀତି ଓ ବ୍ରାହ୍ମଣର ମନ୍ତ୍ର ଗୀତରେ ତାଳେ ତାଳେ ବ୍ରତଧାରୀ ମହିଳାମାନେ ଦେବୀଙ୍କ ଯନ୍ତ୍ର ଉପରେ ସିନ୍ଦୁର ଅର୍ପଣ, ଦୀପଦାନ ଓ ସମର୍ପଣ କରିଥାନ୍ତି ଏବଂ ଆଚମନରେ ଶେଷ ହୋଇଥାଏ ଏହି ପୂଜା । ଲଲିତା ଦେବୀଙ୍କ ସହସ୍ରନାମ ପାଠ କରାଯାଇ ଶ୍ରୀଯନ୍ତ୍ର ଉପରେ କୁମ କୁମ ପକାଇ ପୂଜା କରାଯାଇଥାଏ । ଆଉ ପର୍ବର ଅନ୍ତିମ ପର୍ଯ୍ୟାୟରେ ବ୍ରତଧାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ସିନ୍ଦୁର ଖେଳ ।
ପରସ୍ପର ମଧ୍ୟରେ ସିନ୍ଦୁର ଖେଳରେ ମସଗୁଲ ହେବାସହ ଜୁହାର ଭେଟ ହୋଇଥାନ୍ତି ବ୍ରତଧାରୀ ମହିଳାମାନେ । ସ୍ଵାମୀଙ୍କ ଦିର୍ଘାୟୁ କାମନା କରିବା ସହ ପରିବାରରେ ସୁଖ ଶାନ୍ତି ରଖିବାକୁ ମା’ ବୁଢିଠାକୁରାଣୀଙ୍କୁ ଗୁହାରି କରିଥାନ୍ତି ବ୍ରତଧାରୀ ମହିଳା । ତେବେ କିଛି ବର୍ଷ ହେଲା ସହରର ଅନ୍ୟ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ଏହି ବ୍ରତରେ ସାମିଲ ହୋଇଛନ୍ତି ।



